୩ ଚୋରୀ କେଶରେ ହିଞ୍ଜିଳି ପୁଲିସକୁ ମିଳିଲା ସଫଳତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ମାସ ଧରି ଲୁଟେରାଙ୍କ ପାଇଁ ପୁଷମାସ ପାଲଟିଥିଲା । ପୋଲିସ ଆଖିରେ ଧୂଳି ଛାଟି ଗୋଟାଏ ପରେ ଗେଟାଏ ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିଲେ ଲୁଟେରା ଦଳ । ଦୀର୍ଘ ୩ ମାସର ବ୍ୟବଧାନ ପରେ ହିଞ୍ଜିଳି ପୁଲିସକୁ ମିଳିଛି ସଫଳତା । ହିଞ୍ଜିଳି ଥାନା ଇଲାକାରେ ଘଟିଥିବା ୩ଟି ଚୋରୀ ଘଟଣାରେ ସଂପୃକ୍ତ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ହିଞ୍ଜିଳି ପୁଲିସ । ସଂପୃକ୍ତ ୩ଟି ଚୋରୀ ଘଟଣାରେ ସଂପୃକ୍ତି ଥିବା ୪ ଜଣଙ୍କୁ ଶନିବାର ହିଞ୍ଜିଳି ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ବାନା ପ୍ରଧାନ(୩୫), ସିକିରି ଗ୍ରାମର ସମ୍ପଦ ପ୍ରଧାନ(୨୬), ହିଞ୍ଜିଳି ବାପୁଜି ମାର୍ଗର ଯୋଗି ଦାସ(୩୨) ଓ ଶେରଗଡ ଥାନା ଠୁରୁବୁରାଇ ଗ୍ରାମର କାହ୍ନୁ ଚରଣ ସାହୁ (୩୧) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଚୋରୀ ହୋଇଥିବା ଏକ ଏଲଜି ଏଲଇଡି ଟିଭି, ଏକ ଇନଭେଟର ମେସିନ ଓ ୩ଟି ଇନଭେଟର ବ୍ୟାଟେରି ଜବତ କରିଛି । ଗିରଫ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ମାର୍ଚ୍ଚ ୧୪ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଗଣ୍ଡଳା ଗଣ୍ଡଳା ଗ୍ରାମର ମୁଖ୍ୟ ବଜାରରେ ଥିବା ୬ଟି ଦୋକାନରୁ ଲୁଟେରା ମାନେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସମାଗ୍ରୀ ଲୁଟ୍ କରି ଫେରାର ହୋଇ ଯାଇଥିଲେ । ଗତ ଏପ୍ରିଲ ୨୬ ତାରିଖ ବିଳମ୍ବିତ ରାତିରେ ସାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟେରା ମାନେ ଏଲଇଡି ଟିଭି, କମ୍ପ୍ୟୁଟର, ପ୍ରିଂଟର, ଇନଭେଟର ମ୍ୟାସିନ ଓ ଅନ୍ୟାନ ସାମଗ୍ରୀ ଲୁଟ୍ କରିଥିଲେ । ସେହିପରି ଏପ୍ରିଲ ୧୯ ତାରିଖରେ ସାପୁଆପଲ୍ଲୀ ପ୍ରାଥମିକ ସେବା କେନ୍ଦ୍ରରୁ ଲୁଟେରା ମାନେ ଇନଭେଟର ବ୍ୟାଟେରି ଓ ଅନ୍ୟାନ ସାମଗ୍ରୀ ଲୁଟ୍ କରିଥିଲେ । ସାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ମନିଷ ପଣ୍ଡାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେଶ ନଂ ୨୧୩/୨୨ରେ ଏକ ମାମଲା ରୁଜୁ କରି ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।


