୩ ଜିଲ୍ଲାରେ ଆଜିଠୁ ୨ ଦିନ ସ୍କୁଲ୍ ଛୁଟି ଆଉ ୬ ଜିଲ୍ଲାରେ ୯ରେ ଛୁଟି ଘୋଷଣା
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା “ବୁଲ୍ବୁଲ୍’ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର୍ କରାଯାଇଛି । ଏଥି ପାଇଁ ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ବାତ୍ୟାର ସମ୍ଭାବ୍ୟ ଗତିପଥ, ପ୍ରଭାବ ଓ ସେଥି ପାଇଁ କରାଯାଇଥିବା ପ୍ରସ୍ତୁତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଦପ୍ତରରେ ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୮ ଓ ୯ ତାରିଖ ଦୁଇ ଦିନ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ୯ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାରେ ସ୍କୁଲ୍, କଲେଜ ବନ୍ଦ ରଖାଯିବ । ବର୍ଷା ଓ ପବନର ଗତିକୁ ଲକ୍ଷ୍ୟ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୮ ତାରିଖ ଦିନ ସ୍କୁଲ୍ ବନ୍ଦ ରଖିବା ବିଷୟରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା । ଏହା ମଧ୍ୟରେ ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ଦୁଇଟି ଲେଖାଏ ଓଡ୍ରାଫ ଓ ଗୋଟିଏ ଲେଖାଏ ଏନ୍ଡିଆର୍ଏଫ୍ ଟିମ୍ ପଠାଯାଇଛି । ଏସବୁ ଜିଲ୍ଲାରେ ଅଗ୍ନିଶମ ସେବା ସଂସ୍ଥା ୟୁନିଟ୍ ଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି । ପବନ ପ୍ରଭାବରେ ଗଛର ଡାଳ ଭାଙ୍ଗିଯିବା ସହ ଗତ ଫନି ବାତ୍ୟା ଯୋଗୁ ଦୁର୍ବଳ ହୋଇଥିବା ଗଛ, ବିଦ୍ୟୁତ ଖୁଣ୍ଟ ଆଦି ପଡ଼ିଯିବାର ଆଶଙ୍କା ଥିବାରୁ ରାସ୍ତାଘାଟ ସଫା କରିବା ନିମନ୍ତେ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା । ବାତ୍ୟାର ପ୍ରଭାବରେ କଚ୍ଚା ଘର, ଆଜବେଷ୍ଟ୍, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ପାଚିଲା ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ସେସବୁ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସିବା ପାଇଁ ଚାଷୀଙ୍କୁ ଅନୁରୋଧ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଡିଜି ବିଜୟ କୁମାର ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।