୩ ଦୁର୍ବୁତ୍ତଙ୍କ ଠାରୁ ବନ୍ଧୁକ ଜବତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ଦେବୀଦୋଳ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ କିଛି ଯୁବକ ସଂଘବଦ୍ଧ ହୋଇ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଏହି ସମୟରେ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ବିଶେଷ ସୂତ୍ରରୁ ଖବର ପାଇ ଏସଆଇ ପ୍ରତାପ ଦାଶ,କନେଷ୍ଟବଳ ସ୍ମୃତି ରଂଜନ ମହାପାତ୍ର,ବିକ୍ରମ ସ୍ୱାଇଁ ଆଦିଙ୍କୁ ସଦଳବଳେ ନେଇ ସେହି ସ୍ଥାନରେ ପହଂଚିଥିଲେ । ସେଠାରୁ ନୂଆଗାଁ ପଂଚାୟତ ମଙ୍ଗୁଳିଆକଂଟା ଗ୍ରାମର ମନୋଜ ସାହୁ ଓରଫ କଳିଙ୍ଗ ଙ୍କ ସମେତ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଥିଲା । ସେମାନଙ୍କ ଠାରୁ ଏକ ନମ୍ବର ବିହିନ ଆପାଚି ଗାଡି ଜବତ କରାଯାଇଥିବା ବେଳେ ଏକ ବନ୍ଧୁକ ମଧ୍ୟ ଜବତ ହୋଇଥିବା ଜଣାଯାଇଛି । ମନୋଜ ସାହୁଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଅନେକ ଡକାୟତି ମାମଲା ରହିଥିବା ଜଣାଯାଇଛି । ଅଧିକ ତଦନ୍ତ ପାଇଁ ତାଙ୍କୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟକୁ ନିଆଯାଇଥିବା ଥାନାଧିକାରୀ ଶ୍ରୀମତୀ କର ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ତଳେ ତିରୁଣା ପଂଚାୟତର ତିରୁଣା-ଡାବର ପ୍ରଧାନମନ୍ତ୍ରୀ ସଡକ ଯୋଜନା ପାଶ୍ୱର୍ରେ ବାଲିକୁଦାର ଏକ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୩୨ ହଜାରରୁ ଉର୍ଦ୍ଧ ଟଙ୍କା ଦୁବୃତମାନେ ଲୁଟି ନେଇଥିଲେ । ଏହା ସହିତ ଆଉ କେଉଁ ସବୁ ମାମଲାରେ ଉକ୍ତ ଯୁବକଙ୍କର ସଂପୃକ୍ତି ଅଛିକି ନାହିଁ ତାହା ତଦନ୍ତ କରାଯିବା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି ।