୩ ବର୍ଷରେ ରାଜ୍ୟରେ ୨୪୬ଟି ହାତୀଙ୍କର ମୃତ୍ୟୁ

ଭୁବନେଶ୍ବର: ବିପଦରେ ଗଜରାଜ। ବିଭିନ୍ନ କାରଣରୁ ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଟ୍ରେନ୍‌ ଧକ୍କା ହେଉ ଅବା କରେଣ୍ଟ୍ ତାର ଲାଗି କିମ୍ବା ଶିକାରୀମାନଙ୍କ ଦ୍ବାରା ହାତୀମାନଙ୍କର ମୃତ୍ୟୁ ହେଉଛନ୍ତି। ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୨୪୬ଟି ହାତୀରଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ବନଖଣ୍ଡରେ ମୋଟ ୧୯୭୬ଟି ହାତୀ ରହିଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ହାତୀଗଣନା ଅନୁଯାୟୀ ଶାତକୋଶିଆରେ ୧୪୭, ଶିମିଳିପାଳରେ ୩୩୦, ଆଠଗଡ଼ରେ ୧୧୫ , ଏବଂ ଢେଙ୍କାନାଳରେ ୧୬୯ଟି ହାତୀ ଅଛନ୍ତି। ତେବେ ଓଡ଼ିଶାର ୫୦ ବନଖଣ୍ଡ ମଧ୍ୟରୁ ୧୩ଟିରେ ଆଦୌ ହାତୀ ନାହାନ୍ତି। ଏପରି କି ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ବନଖଣ୍ଡରେ ମାତ୍ର ଗୋଟିଏ ହାତୀ ଅଛି ବୋଲି ଜଣାପଡ଼ିଛି। ସେହିଭଳି ହାତୀମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି। ବିଦ୍ୟୁତ୍‌ଜନିତ ହେଉଥିବା ହାତୀ ମୃତ୍ୟୁ ସଂଖ୍ୟାକୁ ରୋକିବା ଲାଗି ପର୍ଯ୍ୟାୟକ୍ରମେ ଶକ୍ତି ବିଭାଗ ସହିତ ମିଳିତ ବୈଠକ ହେଉଛି। ସେହିପରି ଦୁର୍ଘଟଣା ରୋକିବା ପାଇଁ ରେଳ ଓ ସଡ଼କ ପରିବହନ ବିଭାଗକୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ୧୪ଟି ହାତୀ କରିଡର୍‌ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ତେବେ ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ହାତୀ ମୃତ୍ୟୁରେ ପାଇଁ କୌଣସି ଜଙ୍ଗଲ ବିଭାଗର ଅଧିକାରୀଙ୍କର ସମ୍ପୃକ୍ତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ