୩ ଶହରୁ ଊର୍ଦ୍ଧ୍ୱ ଶିଶୁ-କିଶୋର ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ବାଲେଶ୍ୱର, (ସରୋଜ ପଣ୍ଡା):‘ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ’ର ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ ଦୁଇଦିନିଆ ଶିଶୁ-କିଶୋର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଶନିବାର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ପୌରଧ୍ୟକ୍ଷା ସବିତା ସାହୁ, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଶିଶୁ ଓ କିଶୋରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାରେ ଏହି କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ଓ କିଶୋର ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଏହିଭଳି କାର୍ଯ୍ୟକ୍ରମ ନିୟମିତ ଜାରି ରଖିବାକୁ ଅତିଥିମାନେ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଧାରଣ ସମ୍ପାଦକ ସମାଜସେବୀ ଉପେନ୍ଦ୍ର ନାଥ ପାତ୍ର, ସମ୍ପାଦକ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା, ସିଏ ସଞ୍ଜୀବ ନାୟକ, କୋଷାଧ୍ୟକ୍ଷ କିଶୋର ଦାସ, ବାର୍ତ୍ତା ସଂଯୋଜକ ଭାବଗ୍ରାହୀ ମହାନ୍ତି, ସିଏ ସଂଜୀବ ନାୟକ, ସିପ୍ରା ମହାପାତ୍ର, ଲମ୍ବୋଦର ନାୟକ, ବନ୍ଦନା ବିଶ୍ୱାଳ, ଆଶିଷ ସାହୁ, ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଟ୍ରଷ୍ଟର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ କଥା ରଖିଥିଲେ । ଉପ-ସଭାପତି ଆଇନଜୀବୀ ରଘୁନାଥ ପ୍ରଧାନ ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଟ୍ରଷ୍ଟର ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୧୦ ଓ ୧୧ ତାରିଖ ଦୁଇଦିନ ଧରି ଗାନ୍ଧୀସ୍ମୃତି ଭବନରେ ଜାରି ରହିଥିବା ଶିଶୁ-କିଶୋର ପ୍ରତିଭା ଚୟନ ପ୍ରତିଯୋଗିତାରେ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ୩ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ଡିବେଟ, ଗୀତା ଆବୃତ୍ତି, ର୍ୟାମ୍ପ ୱାକ ଓ କୌତୁକିଆ ପୋଷାକ ପ୍ରଭୃତି ବିଭାଗରେ ଜୁନିୟର, ସବ-ଜୁନିୟର ଓ ସିନିୟର ବର୍ଗର ପ୍ରତିଯୋଗିତା ହେଉଛି । ଏହି ମେଧା ଚୟନ କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ଜେନା, ପର୍ଶୁରାମ ବିଶ୍ୱାଳ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳଙ୍କ ସମେତ ଅଭିଜ୍ଞତା ସମ୍ପନ୍ନ ବହୁ ବ୍ୟକ୍ତି ବିଚାରକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସନ୍ତୋଷ ଦେ, ଶୁଭେନ୍ଦୁ ଦାସ, ରାଜକିଶୋର କର, ଅଭିଜିତ ଦାସ, ଜ୍ୟୋତିରଂଜନ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି । କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଟ୍ରଷ୍ଟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ।ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।