୩ ଶହ ଏକର ଚାଷ ଜମି ଜଳମଗ୍ନ; ଜଳ ନିଷ୍କାସନ ପାଇଁ ପ୍ରଶାସନ ଶୁଣିଲାନି

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଉତ୍ତର ପାଶ୍ୱର୍ ତଥା ବନ୍ତ ତହସିଲ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବନ୍ତ ମୌଜାର ପ୍ରାୟ ୩ ଶହ ଏକର ଚାଷ ଜମି ଲଘୁଚାପ ବର୍ଷାରେ ବୁଡି ରହିଥିବା ବେଳେ ଧାନଗଛ ସବୁ ପଚି ନଷ୍ଟ ହେବାକୁ ବସିଛି । ଜମିରୁ ପାଣି ନିଷ୍କାସନ ପାଇଁ ଚାଷୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଫଳରେ ଚାଷୀ ମାନେ ନିଜ ନିଜ ମଧ୍ୟରେ ଅର୍ଥ ଆଦାୟ କରି ଜେସିବି ମେସିନ୍ ଆଣି ବନ୍ତ ହାଇସ୍କୁଲ ଛକ ଠାରୁ ଶ୍ରୀବନ୍ତପୁର ଛକ ପର୍ଯ୍ୟନ୍ତ ନୟନଜୋରୀ(ନାଳ)କୁ ସଫା କରିଥିବାର ଦେଖାଯାଇଛି । ପ୍ରକାଶ ଯେ, ଉକ୍ତ ରାଜ୍ୟ ରାଜପଥର ଉତ୍ତର ପାଶ୍ୱର୍ରେ ବନ୍ତ ମୌଜାର ଶତାଧିକ ଚାଷୀ ମାନଙ୍କର ପ୍ରାୟ ୩ ଶହରୁ ୪ ଶହ ଏକର ଚାଷଜମି ରହିଛି । ପ୍ରତିବର୍ଷ ବର୍ଷା ଦିନେ ଏହି ଚାଷ ଜମି ସବୁ ଜଳମଗ୍ନ ହୋଇ ଧାନଗଛ ନଷ୍ଟ ହେଉଛି । ପ୍ରାୟ ୫ କିମି ଦୂର ବସନ୍ତିଆ ଠାରୁ ରାସ୍ତା ପାଶ୍ୱର୍ ନୟନଜୋରୀରେ ପାଣି ଆସି ବନ୍ତ ହାଇସ୍କୁଲ ଛକ ସମ୍ମୁଖ ନାଳ ଦେଇ ସାଳଙ୍ଗ ଠାରେ ନିଷ୍କାସିତ ହୋଇଥାଏ । ମାତ୍ର ରାଜ୍ୟ ରାଜପଥ ନିର୍ମାଣ ସମୟରେ ଉକ୍ତ ନୟନଜୋରୀକୁ ସଫା କରାଯାଇନଥିଲା । ଫଳରେ ଉକ୍ତ ନୟନଜୋରୀରେ ପାଣି ସଠିକ୍ ଭାବେ ନିଷ୍କାସିତ ନହୋଇ ଚାଷ ଜମିରେ ଅଟକି ରହୁଛି । ଯାହାଫଳରେ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ସମସ୍ୟାର ସମାଧାନ ପାଇଁ ଚାଷୀ ମାନେ ଗତ ୩ ବର୍ଷ ଧରି ପ୍ରଶାସନ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଫଳରେ ବର୍ଷା ଦିନେ ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢି ଯାଉଛି । ଚଳିତ ଲଘୁଚାପ ବର୍ଷାରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏନେଇ ଚାଷୀ ମାନେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆନଯିବାରୁ ଚାଷୀ ମାନେ ବାଧ୍ୟ ହୋଇ ନିଜେ ଅଣ୍ଟା ଭିଡିଛନ୍ତି । ଉକ୍ତ ମୌଜାର ଲମ୍ବୋଦର ମିଶ୍ର, କିଶୋର କୁମାର ସାହୁ, ଶୁକଦେବ ସାହୁ, ଚିନ୍ତାମଣି ମିଶ୍ର, ଜଗବନ୍ଧୁ ଶତପଥି, ମଣି ଚରଣ ପାଢୀ, ମଦନମୋହନ ପାଢୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ନଟବର ସାହୁଙ୍କ ସମେତ ବହୁ ଚାଷୀ ମିଳିତ ହୋଇ ନିଜସ୍ୱ ଅର୍ଥରେ ଜେସିବି ମେସିନ୍ ସହାୟତାରେ ବନ୍ତ ହାଇସ୍କୁଲ ଛକ ଠାରୁ ଶ୍ରୀବନ୍ତପୁର ଛକ ପର୍ଯ୍ୟନ୍ତ ନାଳକୁ ସଫା କରାଇଥିବା ଦେଖିବାକୁ ମିଳିଛି । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ