୪ଟି ଶ୍ରମ କୋଡ ବାତିଲ ସହ ଅଣସଂଗଠିତ ଶ୍ରମିକଙ୍କୁ ସରକାରୀ ଚାକିରୀର ମାନ୍ୟତା ପାଇଁ ଏଆଇଟିୟୁସିର ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏଆଇଟିୟୁସି ପକ୍ଷରୁ ଗୋପଛକ ଠାରେ ଏଆଇଟିୟୁସି ନେତା ସାଥି ଭଜହରି ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଦିବଗଂତ ଶ୍ରମିକମାନଙ୍କ ଉଦେଶ୍ୟରେ ସାଥି ଅମିତାରାଣୀ ନାୟକ ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ବିଶ୍ୱ ଶ୍ରମିକ ଦିବସ ପାଳନର ଆବଶ୍ୟକତା ଓ ଆଜିର ଦିନରେ ଏହାର ପ୍ରାସଙ୍ଗିକତା ଉପରେ ଆଶାକର୍ମୀ ସଂଘର ଜିଲ୍ଲା ଉପ ସଭାପତି ସାଥି ରଞ୍ଜୁଲତା ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇ ଆଜି ୧୩୩ତମ ବିଶ୍ୱ ଶ୍ରମିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଦିନ ଶ୍ରମିକମାନଙ୍କୁ ଯେଭଳି ଗୋତି ଭାବେ ଖଟାଇ ଶ୍ରମ ଆଦାୟ କରାଯାଉଥିଲା ଆଜିବି ସେହିପରି ଘରୋଇ କମ୍ପାନୀମାନେ ଶ୍ରମିକମାନଙ୍କ ସମସ୍ତ ଅଧିକାରକୁ ବାତିଲ କରି ଜୋର ଜୁଲମ କରି କାମ କରାଉଛନ୍ତି । କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ଥିବା ୪୪ଟି ଆଇନକୁ ବାତିଲ କରି ୪ଟି କୋର୍ଡରେ ପରିଣତ କରି ଶ୍ରମିକ ମାନଙ୍କ ପେଟକୁ ନାତ ମାରିଛନ୍ତି । ଦେଶର ଯେଉଁ ଲାଭଦାୟକ ଶିଳ୍ପ ଓ କଳକାରଖାନା ଥିଲା ତାହାକୁ ବିକ୍ରୀ କରି ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ସଦା ଚେଷ୍ଟିତ ଅଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗୋଡାଣିଆ ସାଜିଛନ୍ତି । ଏହି ସମୟରେ ଅଣସଂଗଠିତ ଶ୍ରମିକ ମାନଙ୍କୁ ବହୁ କାମ କରିବାକୁ ଦିଆଯାଉଥିବା ବେଳେ ପାରିଶ୍ରମିକ କଥାକୁ ବିଚାରକୁ ନିଆଯାଉନାହିଁ । ଆଶା, ଅଙ୍ଗନୱାଡି, ପାଚିକା, ଗାଁ ସାଥି, କୃଷକ ସାଥି, ଠିକା କର୍ମଚାରୀଙ୍କୁ ତୁରନ୍ତ ସରକାରୀ ଚାକିରୀର ମାନ୍ୟତା ଦେବା ପାଇଁ ଦାବି କରିଥିଲେ ମୁଖ୍ୟବକ୍ତା ଶ୍ରୀ ରାଉତରାୟ । ଏହି ସଭାରେ ନାରୀ ନେତ୍ରୀ ସାଥି ଭଗବତୀ ନାୟକ, ବନ୍ଦନା ମଲିକ, ନିର୍ମଳା ସାହୁ, ଝରଣା ରାଉତ, କାମିନୀ ନାଥ, ଛବିନା ଶତପଥୀ, ବିକାଶ ଚନ୍ଦ୍ର ବେଉରା, ଅଜୟ କୁମାର ସାହୁ, ନରେନ୍ଦ୍ର କୁମାର ଦାଶ, କ୍ଷୀରୋଦ ଖଟୁଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଘୋଷିତ ବିଦ୍ୟୁତ କାଟ ଏବଂ ପାଣି ଯୋଗାଣରେ ଅବ୍ୟବସ୍ଥା ବିରୋଧରେ ଆସନ୍ତା ସପ୍ତାହରେ ଇଚ୍ଛାପୁର ସ୍ଥିତ ପାନୀୟ ଜଳଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ଅମରେନ୍ଦ୍ର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ