୪ଦିନିଆ ଉତ୍ସବ ପରେ ଧରାପୃଷ୍ଟରୁ ଦେବୀ ଦୁର୍ଗାଙ୍କୁ ମେଲାଣି

ବାଲେଶ୍ୱର, (ସରୋଜ ପଣ୍ଡା):ପୂଜା ମଣ୍ଡପରେ ୪ ଦିନିଆ ଉତ୍ସବ ପରେ ଧରା ପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତି ନାଶିନୀ ମାଆ ଦୁର୍ଗା । ବିଜୟା ଦଶମୀରେ ଶେଷ ପୂଜା ଓ ବିସର୍ଜନ ପରେ ଏକାଦଶୀରେ ମାଆଙ୍କୁ ଦିଆଯାଇଛି ମେଲାଣି । ପାର୍ବଣର ଅନ୍ତିମ ପର୍ଯ୍ୟାୟ ଭାବେ ଭସାଣି ଉତ୍ସବକୁ କରୋନା ପାଇଁ ଏଥର ବାଲେଶ୍ୱରରେ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନର କୋଭିଡ କଟକଣା ମଧ୍ୟରେ ବିଧିରକ୍ଷାରେ ୪ଦିନିଆ ଦୁର୍ଗୋତ୍ସବ ପାଳନ ପରେ ସାର୍ବଜନୀନ ପୂଜା କମିଟିଗୁଡ଼ିକ ଦେବୀଙ୍କ ମେଢ଼କୁ ଶନିବାର ବାଲିଘାଟ ଓ ନୁଣିଆଯୋଡ଼ିରେ ବିସର୍ଜନ କରାଯାଇଛି । ତେବେ ପୂର୍ବବର୍ଷ ଭଳି ଏହି ଭସାଣି ଉତ୍ସବରେ ଉତ୍କଟ ଶବ୍ଦର ଡିଜେ ସାଉଣ୍ଡ କିମ୍ବା ଯୁବକଙ୍କ ମତୁଆଲା ନାଚ ନଥିଲା । କାଁ ଭାଁ ମେଡ଼ ସହ ସଙ୍କୀର୍ତ୍ତନ ଦଳ ବାଜା ବଜାଇ ଯାଉଥିବା ବେଳେ ଅନ୍ୟ ସମସ୍ତ ମେଡ଼ କେବଳ ଘଣ୍ଟ ଘଣ୍ଟା ବାଜଣରେ ଯାଉଥିବା ଲକ୍ଷ୍ୟ କରାଯାଇଥିଲା । ସହର ଓ ଉପକଣ୍ଠ ଅଞ୍ଚଳରୁ ଶତାଧିକ ସାର୍ବଜନୀନ ମଣ୍ଡପ ସମେତ ବହୁ ଘରୋଇ ପୂଜାର ମେଢ଼ ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ କରାଯାଇଛି । ୬୦ରୁ ଊର୍ଦ୍ଧ୍ୱ ମେଢ଼ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ଓ ୪୦ ପ୍ରତିଶତ ମେଢ଼ ନୁଣିଆଯୋଡ଼ିରେ ବିସର୍ଜନ କରାଯାଇଛି । ପୂର୍ବ ବର୍ଷମାନଙ୍କରେ ଏକାଦଶୀର ସକାଳଠାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲୁଥିଲା । ସମସ୍ତ ମେଢ଼ ଚାଲିଯିବା ପରେ ଶେଷରେ ସନେମାଛକର ଦେବୀଙ୍କ ମେଢ଼ ବିସର୍ଜନ ପାଇଁ ଯାଉଥିଲେ । ଏନେଇ ସିନେମାଛକ ଏବଂ ଫକୀର ମୋହନ ଗୋଲେଇରେ ପୁଲିସ -ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ ପ୍ରତିଷ୍ଟା ସହ ଭସାଣି ଶୋଭାଯାତ୍ରାକୁ ନିୟନ୍ତ୍ରଣ କରାଯାଉଥିଲା । ମାତ୍ର କରୋନା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଶୋଭାଯାତ୍ରା ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଭସାଣି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ ପାଇଁ ଫକୀର ମୋହନ ଗୋଲେଇ ଓ ସିନେମାଛକରେ ଏକାଧିକ ପୁଲିସ ଟିମ ରହିଥିବା ଲକ୍ଷ୍ୟ କରାଯାଇଥିଲା । ଶନିବାର ସଂଧ୍ୟା ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ପ୍ରାୟ ସମସ୍ତ ମେଡ଼ ବିସର୍ଜନ ହୋଇଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ