୪ରୁ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶୀ ସଙ୍ଗୀତର ସମୃଦ୍ଧତା ଓ ଏହାର ଶାସ୍ତ୍ରୀୟ ଦିଗ ପ୍ରତି ପ୍ରତିବନ୍ଧତା ରଖି ଓଡ଼ିଶାର ଏକ ଅଗ୍ରୀମ ସାଂସ୍କୃତିକ ଅନୁଷ୍ଠାନ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ପାଳନ କରିବାକୁ ଯାଉଛି ଏହାର ୧୧ତମ ‘ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ଉତ୍ସବ-୨୦୨୩’ । ଆସନ୍ତା ନଭେମ୍ବର ମାସ ୪ ଓ ୫ ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିକଟରେ ହୋଇଥିବା ଏକ ପ୍ରେସ୍ମିଟ୍ ଜରିଆରେ ପ୍ରଦାନ କରାଯାଇଛି । ଏକାଡ଼େମୀର କମିଟିମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଏବର୍ଷର ଓଡ଼ିଶୀ ସଙ୍ଗୀତ/ନୃତ୍ୟ/ବାଦ୍ୟ ପାଇଁ ଉଦ୍ଦିଷ୍ଟ ‘ଗୁରୁ ସିଂହାରୀ ସମ୍ମାନ’ ଗ୍ରହଣ କରିବେ ଓଡ଼ିଶାର ବିଶିଷ୍ଟ ବୀଣା ବାଦକ ଗୁରୁ କେ ରାମାରାଓ ପାତ୍ର । କଳା କ୍ଷେତ୍ରରେ ଆଜୀବନ ସାଧନାରତ ନାରୀ ମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଭଗବତୀ ସ୍ମୃତି ସମ୍ମାନ’ ପାଇଁ ବିବେଚିତ ହୋଇଛନ୍ତି ବିଶିଷ୍ଟ ନୃତ୍ୟାଙ୍ଗନା ତଥା ବର୍ତ୍ତମାନ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସିକତା ଦାସ । ଯୁବବର୍ଗ କଳାକାର ପାଇଁ ଦିଆଯାଉଥିବା ‘ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ ଗ୍ରହଣ କରିବେ ଯୁବ ଓଡ଼ିଶୀ କଳାକାର ଶ୍ରୀ ମାତୃପ୍ରସାଦ ଦାସ । ସମସ୍ତ କଳାକାରମାନଙ୍କୁ ଏହି ସମ୍ମାନ ରୂପକ ମାନପତ୍ର, ଫଳକ ସହିତ ଅର୍ଥରାଶି ପ୍ରଦାନ କରାଯିବ । ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ବୃନ୍ଦ ଗାନ ପରେ ଶ୍ରୀ ଗୀତଗୋବିନ୍ଦ ଉପରେ ଆଧାରିତ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଅଷ୍ଟ ନାୟିକା’ ଓ ପରେ ଦିଲ୍ଲୀସ୍ଥିତ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ କବିତା ଦ୍ୱିବେଦୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ସମ୍ମାନ ଉତ୍ସବ ପରେ ରହିଅଛି ଏହି ଅକାଦେମୀରେ ଅନ୍ୟାନ୍ୟ ପ୍ରସ୍ତୁତି ‘ସଙ୍ଗୀତ ତ୍ରିବେଣୀ’ । ଗୋଟିଏ ଶାସ୍ତ୍ରୀୟ ରାଗକୁ ତିନୋଟି ସଙ୍ଗୀତିକା ଧାରା ନେଇ କର୍ଣ୍ଣାଟକୀ ସଙ୍ଗୀତରେ ଚେନ୍ନାଇରୁ ଶ୍ରୀମତୀ ବିଦ୍ୟା ହରେକୃଷ୍ଣନ ହିନ୍ଦୁସ୍ତାନୀ ସଙ୍ଗୀତରେ ଢେଙ୍କାନାଳରୁ ଲକ୍ଷ୍ମୀପ୍ରିୟା ନାୟକ ଓ ଓଡ଼ିଶୀ ସଙ୍ଗୀତ ପ୍ରସ୍ତୁତ କରିବେ ଶ୍ରୀମତୀ ସଙ୍ଗୀତା ପଣ୍ଡା ଓ ସାଥୀ । ଗୁରୁ ଗୋପାଳ ପଣ୍ଡାଙ୍କର ଗବେଷଣାତ୍ମକ ତଥ୍ୟ ଆଧାରିତ ଏହି ଦୁଇଦିନର ସମସ୍ତ କାର୍ଯ୍ୟକ୍ରମ ନୂତନ ଭାବେ ସଂଯୋଜନା ଓ ପରିକଳ୍ପନା କରାଯାଇଅଛି । ଏହି ସମସ୍ତ ସୂଚନା ପ୍ରାଦନ ନିିମିତ୍ତ ଅନୁଷ୍ଠାନର କାର୍ଯ୍ୟକାରୀ ସଦ୍ୟ ଓ ସଦସ୍ୟମାନେ ଉପସ୍ଥିତି ରହି ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ସମସ୍ତ ସଙ୍ଗୀତ ପ୍ରେମୀମାନଙ୍କୁ କାର୍ଯ୍ୟକ୍ରମରେ ବିପୁଳ ଭାବେ ଯୋଗଦେବା ନିମନ୍ତେ ଅନୁରୋଧ ଜଣାଇଅଛନ୍ତି ।