୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍
ଚାରିଛକ (ଜୁଗାବ୍ଦ ନ୍ୟୁଜ୍):: ୨୦୧୯ ସାଧାରଣ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ୍ପ୍ରହଣ ସୋମବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।ଜଗତସିଂହପୁର ଲୋକସଭା ଆସନ ସହିତ ନିମାପଡା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୧୬ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ରେ । ସକାଳ ୭ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଗଡଅଣ୍ଡିଆ ବୁଥ୍ ନଂ୧୮୬, ଆମ୍ପୋର ୨୨୦ନଂ ବୁଥ୍ ଓ ଅଟେଇହୁଡା ବୁଥ୍ ନଂ ୨୪୭ରେ ଇଭିଏମ୍ ଓ ଭିଭିପାଟ ଅଚଳ ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଜଗତସିଂହପୁର ଲୋକସଭା ପାଇଁ ୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ବହୁମତ ଯାଇଥିବା ଜଣାଯାଇଛି । ତେବେ ଭୋଟର କାହା ଉପରେ ସୁନା କଳସ ଢାଳିଛନ୍ତି ତାହା ମେ ୨୩ରେ ଜଣାପଡିବ ।
ଅନ୍ୟ ପକ୍ଷରେ ନିମାପଡ଼ା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାଶ, ବିଜେପି ପ୍ରାର୍ôଥନୀ ପ୍ରଭାତୀ ପରିଡା ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ ନିଜନିଜ ବୁଥ୍ରେ ମତଦାନ କରିଛନ୍ତି । ନିମାପଡା ନିର୍ବାଚନ ମଣ୍ଡଳୀରେ ୨୮୦ଟି ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଭୋଟର ଲମ୍ବାଧାଡିରେ ରହି ଭୋଟ ଦେଇଥିଲେ । ଅପରାହ୍ନରେ ମତଦାନ ଶେଷ ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ମୋଟାମୋଟି ଭାବେ ନିମାପଡା ନିର୍ବାଚନ ମଣ୍ଡଳୀରେ ୭୦% ମତଦାନ ହୋଇଥିବା ବ୍ଳକ୍ ନିର୍ବାଚନ ଅଧିକାରୀ ଦାମୋଦର ଖୁଣ୍ଟିଆଙ୍କଠାରୁ ପ୍ରକାଶ । ପ୍ରତ୍ୟେକ ବୁଥ୍ରେ ୫ ପୋଲିଂ ଅଫିସର, ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ପରିଚାଳନା ଦାୟିତ୍ୱରେ ରହିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ୧୯ଟି ଉତେଜନା ପ୍ରବଣ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୩୯ଟି ବୁଥ୍କୁ ଅତି ସମ୍ବେଦନଶୀଳ ବୁଥଭାବେ ଚିହ୍ନଟ କରାଯାଇ ଏହିବୁଥ୍ ଗୁଡିକରେ ଲାଇଭୱେବ କାଷ୍ଟିଂ କରାଯାଇଛି । ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ୧୨୦ କେନ୍ଦ୍ରୀୟ ପୁଲିସ ଓ ୮୦ ସୀମାସୁରକ୍ଷା ବାହିନୀ ଯବାନଙ୍କୁ ମୁତୟନ କରାଯାଇଥିଲା ।