୪ଲକ୍ଷ ଟଙ୍କା ଯୈାତୁକ ଦାବିରେ ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବାହାଘରର ମାତ୍ର ୧ ମାସ ପରେ ଅଧିକ ୪ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଦାବି କରି ସ୍ତ୍ରୀ’ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ମହିଳାଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ କରିଥିବା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣରେ ନିର୍ଯ୍ୟାତନାର ଶୀକାର ମହିଳାଙ୍କ ସମେତ ତାଙ୍କ ବାପା, ମା ଓ ଭାଇ ଆହତ ହୋଇଛନ୍ତି।‌ ଏଭଳି ଏକ ଘଟଣା ବୁଧବାର ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି।‌ ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପିତଳ ଗ୍ରାମର ସୁବାସ ସାହୁଙ୍କ ଝିଅ ଲକ୍ଷ୍ମୀ ସାହୁଙ୍କ ସହ ସୋରଡା ଥାନା ସୋରଡା ଗ୍ରାମ ନେତାଜୀ ସାହିର ମଙ୍ଗଳୁ ସାହୁଙ୍କ ପୁଅ ଶିବଶଙ୍କର ସାହୁଙ୍କ ସହ ଗତ ୧ ମାର୍ଚ୍ଚ ୨୦୨୪ ରେ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଓ ଅନ୍ୟାନ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ମାତ୍ର ୧ ମାସ ପରେ ଅଧିକ ୪ ଲକ୍ଷ ଟଙ୍କା ଯୈାତୁକ ଦାବି କରି ସ୍ବାମୀ ସମେତ ଶାଶୁ ରମା ସାହୁ ଓ ଜଣେ ସମ୍ପର୍କୀୟ ମହିଳା ମିଶି ଲକ୍ଷ୍ମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।‌ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ବାପାଘରକୁ ଚାଲି ଆସିଥିଲେ। କିଛି ମାସ ପରେ ଶଶୁର ଲୋକେ ବୁଝାସୁଝା କରି ମହିଳାଙ୍କୁ ଶଶୁର ଘରକୁ ନେଇଥିଲେ। ଗତ ୧୧ ତାରିଖ ରାତିରେ ସ୍ବାମୀ ଓ ଶାଶୁ ମିଶି ଲକ୍ଷ୍ମୀଙ୍କୁ ଯୈାତୁକ ବାବଦକୁ ଅଧିକ ୪ ଲକ୍ଷ ଟଙ୍କା ଆଣିନଥିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ଘରୁ ବାହାରକୁ ତଡି ଦେଇଥିଲେ। ସେହି ଦିନ ରାତିରେ ମହିଳା ଜଣଙ୍କ ଘର ବାହାରେ ରହିବା ସହ ୧୨ ତାରିଖ ସକାଳେ ବାପାଘର ଗ୍ରାମ ପିତଳ ଆସିଥିଲେ। ବୁଧବାର ଅପରାହ୍ନରେ ମହିଳାଙ୍କ ସ୍ବାମୀ ଶିବଶଙ୍କର ଓ ତାଙ୍କର ସମ୍ପର୍କୀୟ ଜଣେ ଭଉଣୀ ପିତଳ ଗ୍ରାମରେ ପହଞ୍ଚି ମହିଳାଙ୍କ ମାଆ ରଜନୀ ସାହୁଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଦୁହେଁ ମିଶି ମାଡ ମାରିଥିଲେ। ଲକ୍ଷ୍ମୀଙ୍କ ସମେତ ତାଙ୍କ ବାପା ଓ ଭାଇ ବାବୁ ସାହୁ ଏହାର ପ୍ରତିବାଦ କରିବାରୁ ଶିବଶଙ୍କର ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ୪ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ପରିବାରର ୪ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଘର ସମ୍ମୁଖରେ ରୁଣ୍ଡ ହେବାରୁ ଶିବଶଙ୍କର ଓ ତାଙ୍କର ସମ୍ପର୍କୀୟ ମହିଳା ମିଶି ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ଲକ୍ଷ୍ମୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର – ୨୨୦ /୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ