୪୦ ଲିଟର ପିଡିଏସ୍ କିରୋସିନି ଜବତ,ଦୁଇ ଗିରଫ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ଗତ କିଛିଦିନ ହେବ ଖାଦ୍ୟ ସୁରକ୍ଷା ଆଇନରେ ଆସୁଥିବା ପିଡିଏସ୍ କିରୋସିନିକୁ ଖାଉଟିଙ୍କୁ ନ ଦେଇ କିଛି ଗାଡିବାଲା ଓ ଦୋକାନୀଙ୍କୁ ଚଢ଼ାଦରରେ ବିକି ଡିଲର ମାନେ ମାଲାମାଲ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।ଗତକାଲି ଅର୍ଥାତ ସୋମବାର ରାତିରେ ବେଲଗୁଣ୍ଠା ହାଟପଦାର ସରୋଜ ସାହୁ ଓ ହର୍ଷ ଭୋଳ ଦୁହେଁ ଏକ ହିରୋ ସିଡ଼ି ଡିଲକ୍ସ ମୋଟରସାଇକଲରେ ୪୦ ଲିଟର କିରୋସିନି ଧରି ଯାଉଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ବେଲଗୁଣ୍ଠା ପୋଲିସ ହାତରେ ଧରାପଡିଥିଲେ ।କିରୋସିନି ଧରିବା ପରେ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ବେଲଗୁଣ୍ଠା ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀଙ୍କୁ ଖବର ଦେଇଥିଲେ ।ଶ୍ରୀ ଚୌଧୁରୀ ଫାଣ୍ଡିରେ ପହଞ୍ଚିବା ପରେ କିରୋସିନି ନେଉଥିବା ସରୋଜ ଓ ହର୍ଷକୁ ପଚରାଉଚରା କରିଥିଲେ ।ଉଭୟେ ଜଗନ୍ନାଥ ପାଟଣା ସାହିର ଡିଲର ଏ.ମନୋଜ କୁମାର ପାତ୍ରଙ୍କ ଠାରୁ କିରୋସିନି ଆଣିଥିବା ପ୍ରକାଶ କରିଥିଲେ ।ଫାଣ୍ଡି ଅଧିକାରୀ ଓ ଯୋଗାଣ ନିରୀକ୍ଷକ ହର୍ଷ ଓ ସରୋଜଙ୍କୁ ନେଇ ଡିଲର ମନୋଜ ପାତ୍ରଙ୍କ ଘରକୁ ଯାଇ ଦୁଇ ଘଣ୍ଟା ଧରି ଯାଞ୍ଚ କରିଥିଲେ ।ଏ ନେଇ ବେଲଗୁଣ୍ଠା ପୋଲିସ ଏକ ୩୧୯/୧୯ରେ ଏକ ଇ.ସି ମାମଲା ରୁଜୁ କରି କିରୋସିନି ଓ ମୋଟରସାଇକେଲକୁ ଜବତ କରିବା ସହ ଗିରଫଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ।ଡିଲର ଏ.ମନୋଜ ପାତ୍ରଙ୍କ ଠାରୁ କିରୋସିନି ନେଇଥିବା ପ୍ରକାଶ କରିଥିବାରୁ ଅଧିକ ତଦନ୍ତ ପରେ ଆବଶ୍ୟକସ୍ଥଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ପ୍ରତିକ୍ରିୟା ନେବାରୁ, ତାଙ୍କ ପାଖରେ କିରୋସିନି କଳାବଜାରୀ ହେବାର ଖବର ଅଛି ଏବଂ ସେ ନିଜେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।