୪୪ପ୍ୟାରେଡ଼ ଟ୍ରୁପ ଓ ୭ଟି ସାଂସ୍କୃତିକ ଟିମ୍ ହେଲେ ସାମିଲ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ୨୨ ତାରିଖ ଠାରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଆରମ୍ଭ ହୋଇଥିବା ଅଭ୍ୟାସ ପ୍ୟାରେଡ଼ ମଙ୍ଗଳବାର ଶେଷ ହୋଇଛି । ବାଲେଶ୍ୱର ସହର ସମେତ ଉପକଣ୍ଠ ଅଞ୍ଚଳର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ପୁଲିସ, ହୋମଗାର୍ଡ଼ ଏବଂ ପୁଲିସ ବ୍ୟାଣ୍ଡ୍ ପାର୍ଟି ଟ୍ରୁପଙ୍କ ସମେତ ପଞ୍ଜୀକରଣ କରିଥିବା ମୋଟ ୪୪ଟି ଟିମ୍ ଏହି ଅଭ୍ୟାସ ପ୍ୟାରେଡ଼ରେ ସାମିଲ ହୋଇଥିଲେ । ଏହି ଅଭ୍ୟାସ ପ୍ୟାରେଡ଼୍ର ଶେଷ ଦିବସରେ ୭ଗୋଟି ଟିମ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅଭ୍ୟାସ କରାଯାଇଛି ବୋଲି ରିଜର୍ଭ ପୁଲିସ ଇନ୍ସପେକ୍ଟର ତଥା ପ୍ୟାରେଡ୍ କମାଣ୍ଡର ବୀରେନ କୁମାର ବେହେରା ସୂଚନା ଦେଇଛନ୍ତି । ସେକେଣ୍ଡ କମାଣ୍ଡର ସିକର ଶଙ୍କର ଟୁଡୁଙ୍କ ସମେତ ପ୍ଲାଟୁନ କମାଣ୍ଡର ରାଜୀବ କୁମାର ମାରାଣ୍ଡି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଏହି ତିନି ଦିନିଆ ଅଭ୍ୟାସ ପ୍ୟାରେଡ୍ ପରିଚାଳନା କରିଥିଲେ । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସାମୂହିକ ପ୍ୟାରେଡ ବନ୍ଦ ଥିବାବେଳେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ପ୍ୟାରେଡ୍ ପଡ଼ିଆ ସମତୁଲ କରିବା, ପ୍ୟାରେଡ଼୍ ଟିମ୍କୁ ବିଭିନ୍ନ ସ୍କୁଲରୁ ନେବା ଆଣିବା ଏମିତିକି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପୁଲିସ ସମେତ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜିଲ୍ଲା ସୁୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁରକ୍ଷା ଦାୟିତ୍ୱରେ ଦଶ ପ୍ଲାଟୁନ୍ ପୋଲିସ ଫୋର୍ସ,୨୦ଜଣ ଏ.ଏସ.ଆଇ,୧୦ଜଣ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ଡିଏସପି ମୁତୟନ ହୋଇଛନ୍ତି । ତେବେ ପୋଲିସ ଲାଇନ ପଡିଆରେ ଉଡୁଥିବା ଧୁଳିକୁ ନେଇ ଅଭ୍ୟାସରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି । ପ୍ୟାରେଡ ଟ୍ରାକରେ ପାଣି ସିଂଚନ ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲେ ବି ବିଭାଗୀୟ ଉଦାସୀନତା ଓ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀଙ୍କୁ ଧୂଳିଧୂଷର ହେବାକୁ ପଡ଼ିଥିବା ଦେଖିବାକୁ ମିଳିଛି ।