୪୫ ଲକ୍ଷ ଇନାମି କୁଖ୍ୟାତ ମହିଳା ମାଓବାଦୀ ନିହତ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଗତ ୩ ଦିନ ମଧ୍ୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁଳି ବିନିମୟ ହେଉଥିବା ସହ ବହୁ ମାଓବାଦୀ ନିହତ ହୋଇଥିବା ବେଳେ ଆଜି ପୁଣି ଜଣେ ୪୫ ଲକ୍ଷ ଇନାମି କୁଖ୍ୟାତ ମହିଳା ମାଓବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡ଼ା ଓ ବିଜାପୁର ସୀମାନ୍ତବର୍ତ୍ତୀ ଗ୍ରାମ ନେଲଗୋଡ଼ା, ଇକେଲି, ବେଲନାର ମଧ୍ୟ ଜଂଗଲରେ ମାଓ ଦମନ ନିମନ୍ତେ ଜିଲ୍ଲା ପୁଲିସ, ଡିଆରଜି, ବସ୍ତର ଫାଇଟର୍ସର ମିଳିତ ଦଳ ତଲାସି କରୁଥିବା ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ସହ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିଲାବା ବେଳେ ଅନ୍ୟ ମାଓବାଦୀ ମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ତେବେ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ଜଣଙ୍କ ହେଲେ ରେଣୁକା ଓରଫ ଚେତ, ସେ ମାଓ ସଂଗଠନର କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁର ଚିଫ୍ ଏବଂ ପ୍ରେସ୍ ଟିମ୍ ଇନଚାର୍ଜ ଥିବା ବେଳେ ଜଣେ ବିଏ, ଏଲଏଲବି ଡିଗ୍ରୀ ଧାରୀ ଥିବା ଜଣା ପଡିଛି। ତେବେ ମୃତ ମାଓବାଦୀ ନାମରେ ତେଲେଙ୍ଗାନାରେ ସରକାରଙ୍କ ପକ୍ଷରୁ ୨୦ ଲକ୍ଷର ପୁରସ୍କାର ଘୋଷଣା ହୋଇଥିବା ବେଳେ ଛତିଶଗଡ଼ରେ ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା।