୪୯ତମ ଜୁନିୟର ରେଡକ୍ରସ୍ ଗଞ୍ଜାମ ଶାଖାର ଅଧ୍ୟୟନ ଓ ତାଲିମ ଶିବିର
ଛତ୍ରପୁର-: ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରେ ଗଞ୍ଜାମ ଜିଲ୍ଲା ଶାଖା ଜୁନିୟର ରେଡକ୍ରସ୍ ପକ୍ଷରୁ ତିନିଦିନ ଧରି ୪୯ ତମ ଅଧ୍ୟୟନ ଓ ତାଲିମ ଶିବିର ଅନୁଷ୍ଠିତ ହୋଇ ଆସୁଅଛି । ଶନିବାର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖା ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ବୁଲି ପରିଦର୍ଶନ କରିବା ସହ ଏକ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ । ଜୁନିୟର ରେଡକ୍ରସ୍ ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ତଥା ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ସଂପାଦକ ତଥା ଜିଲ୍ଲା କ୍ରୀଡା ପରିଦର୍ଶକ ଭାଗିରଥୀ ସ୍ୱାଇଁ, ନିର୍ଦ୍ଦେଶକ ହିମାଂଶୁ କୁମାର ପଟ୍ଟନାୟକ, ପ୍ରୋଗ୍ରାମ ଅଧିକାରୀ ବିଜୟ କୁମାର ବେହେରା, ଯୁଗ୍ମ ସଂପାଦକ ଭିକାରୀ ଚରଣ ଗୌଡ, ପରାମର୍ଶଦାତା କୃତିବାସ ବାରିକ, ହରେକୃଷ୍ଣ ପଣ୍ଡା ଓ ଭାସ୍କର ଲେଙ୍କା, ବିଭାଗୀୟ ମୁଖ୍ୟ ସୁବାସ ଚନ୍ଦ୍ର ପ୍ରଧାନ, ନବୀନ ଚନ୍ଦ୍ର ପାଢୀ, ମୁଖ୍ୟ ପରିଚାଳିକା ଡ.ପ୍ରଭାତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ଏହା କାର୍ଯ୍ୟକ୍ରମ ମଧ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମୋ ସ୍କୁଲ ତଥା ଗାରିମା ରୌପ୍ୟ ପୁରସ୍କାର ପ୍ରଦାନ ଉତ୍ସବକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉଦଘାଟିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଛତ୍ରପୁର ବିଇଓ ଅବିନାଶ ଶତପଥୀ , ବିଇଓ ହରେକୃଷ୍ଣ ପଣ୍ଡା, ରଙ୍ଗେଇଲୁଣ୍ଡା ବିିଇଓ ଡ. ପ୍ରଭାତୀ କୁମାରୀ ମହାପାତ୍ର, କୁକୁଡ଼ାଖଣ୍ଡି ବିଇଓ ଏସ୍. ଗିରିଧରଙ୍କ ସମେତ ଜିଲ୍ଲାର ଏବିଇଓ ମାନେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୨୪୫ ଟି ବିଦ୍ୟାଳୟ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଗାରିମା ରୌପ୍ୟଧାରୀଙ୍କୁ ମୁଖ୍ୟ ଅତିଥି ତଥା ଅତିଥିଗଣଙ୍କ ଦ୍ୱାରା ପ୍ରଶଂସା ପତ୍ର ଓ ୧୦ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ପ୍ରତି ବ୍ଲକ୍ର ୧୦ ଜଣ ଲେଖାଏଁ ସମଗ୍ର ଜିଲ୍ଲାରେ ୨୨୦ ଜଣ ମୋ ସ୍କୁଲ ଯୋଜନାରେ ଆର୍ଥିକ ଦାନ ଦେଇଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଜିଲ୍ଲା ପ୍ରକଳ୍ପ ସମଗ୍ର ଶିକ୍ଷାର ଡ.ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଅଜିତ୍ କୁମାର ସାବତଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


