୪ ଏଟିଏମ ଲୁଟେରା ଗିରଫ
ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ) : ଦୀର୍ଘ ୬ ମାସ ଧରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏଟିଏମ ଲୁଟେରାଙ୍କୁ ଗିରଫ କରିବାରେ ବାଲେଶ୍ୱର ପୋଲିସକୁ ବଡ ସଫଳତା ମିଳିଛି । ପୋଲିସର ଅନୁସନ୍ଧାନ କ୍ରମେ ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋର ଥାନା ଅନ୍ତର୍ଗତ କୁରୁଡା ଅଞ୍ଚଳର ସ୍ୱର୍ଗତଃ ଦାମୋଦର ମହାନ୍ତିଙ୍କ ପୁତ୍ର ଅଜୟ କୁମାର ମହାନ୍ତି (୨୬), ଖନ୍ତାପଡା ଥାନା ଅନ୍ତର୍ଗତ ବାଲପଦା ଅଞ୍ଚଳର ସ୍ୱର୍ଗତଃ ଉଦୟ ମହାଳିକଙ୍କ ପୁତ୍ର ଭାସ୍କର ମହାଳିକ (୪୫), ଖନ୍ତାପଡା ଥାନା ଅନ୍ତର୍ଗତ ନୁଆପୁର ଗ୍ରାମର କମଳାକାନ୍ତ ଦାସଙ୍କ ପୁତ୍ର ପ୍ରଶାନ୍ତ କୁମାର ଦାସ (୩୦) ଓ ଉତ୍ତର ପ୍ରଦେଶର କୋହନପୁର ଜିଲ୍ଲା ଜାଫରାବାଦ ଥାନା ଅଞ୍ଚଳର ରାମ ସିଙ୍ଗର ଦୁବେଙ୍କ ପୁତ୍ର ଦୀପକ କୁମାର ଦୁବେ (୨୬) । ଏହି ୪ ଜଣ ଅଭିଯୁକ୍ତଙ୍କଠାରୁ ୧୫ ଲକ୍ଷ ୯୭ ହଜାର ନଗଦ ଟଙ୍କା, ବାଇକ୍, ନମ୍ବର ବିହୀନ ବୁଲେଟ୍, ନୋଟରସାଇକେଲ, ହଳେ ସୁନା କାନଫୁଲ, ବିଭିନ୍ନ କମ୍ପାନୀର ୪ ଗୋଟି ମୋବାଇଲ ଫୋନ, ଏଟିଏମ ମେସିନ୍ ଭାଙ୍ଗିବା ପାଇଁ ବ୍ୟବହୃତ ଲୁହାଛଡ ଓ ଏକ ଗ୍ୟାସ ସିଲିଣ୍ଡର ମିଳିଥିଲା । ଜନଗହଳି ଅଞ୍ଚଳର ଦୂରରେ ଥିବା ଏଟିଏମକୁ ସେମାନେ ଲକ୍ଷ ରଖି ଲୁଟୁଥିଲେ ବୋଲି ଏସପି ବି. ଯୁଗଳ କିଶୋର ପ୍ରକାଶ କରିଛନ୍ତି । ଏଡସିନାଲ ଏସପି ତପନ କୁମାର ପଟ୍ଟନାୟକ, ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ, ବସ୍ତା ଏସଡିପିଓ ରଣଜିତ୍ ପୃଷ୍ଟି, ନୀଳଗିରି ଏସଡିପିଓ ସୁଦାମ ଚରଣ ସାହୁ, ସିଂଲା ଥାନାଧିକାରୀ ସୁବ୍ରତ କୁମାର ବେହେରା, ସୋର ଥାନାଧିକାରୀ କ୍ଷମାସାଗର ପଣ୍ଡା, ନୀଳଗିରି ଥାନାଧିକାରିଣୀ, ଖନ୍ତାପଡା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।