୪ ଜିଲ୍ଲା ପାଇଁ ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟରେ “ମୋ ସରକାର’ ସ୍ଥିତି ଅନୁଧ୍ୟାନ ଗସ୍ତ ସମୟରେ ଯେଉଁ କିଛି ସମସ୍ୟା ଓ ଅଭାବ ଏବଂ ଅସୁବିଧା ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଦେଖିଥିଲେ, ତା ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି । ସୁନ୍ଦରଗଡ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ଜିଲ୍ଲାର ଭିତ୍ତିଭୂମି ବିକାଶ ଲାଗି ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି । ସୁନ୍ଦରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଅଭାବ ଅସୁବିଧା ଜିଲ୍ଲା ଖଣିଜ ପାଣ୍ଠିରୁ ଭରଣା କରାଯିବ । ରୋଗୀଙ୍କ ସହଯୋଗୀଙ୍କ ଲାଗି ଆଶ୍ରୟସ୍ଥଳ ଓ ଷ୍ଟାର୍ଫ କ୍ୱାର୍ଟର୍ସ ବି ଏହି ଅର୍ଥରେ ହେବ । ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ସୁନ୍ଦରଗଡ ଏସପିଙ୍କୁ ୧୦ଲକ୍ଷ ଟଙ୍କା ଦିଆଯିବ । ଆଉ ଦୁଇଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡି ଏହି ଜିଲ୍ଲାକୁ ପ୍ରଦାନ କରାଯିବ ।
ସେହିଭଳି ରାଉରକେଲା ସରକାରୀ ଡାକ୍ତରଖାନା ଶଯ୍ୟା ସଂଖ୍ୟା ୪୦୦କୁ ବୃଦ୍ଧି କରାଯିବ । ରୋଗୀଙ୍କ କଲ୍ୟାଣ ଆଦି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ରୋଗୀ କଲ୍ୟାଣ ସମିତିକୁ ସରକାର ପ୍ରଦାନ କରିବେ । ସେହିପରି ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ରାଉରକେଲା ଏସପିଙ୍କୁ ମଧ୍ୟ ଆଉ ୧୦ଲକ୍ଷ ଟଙ୍କା ଦିଆଯିବ । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ସମସ୍ତ ଅଭାବ ଅସୁବିଧା ଏଣିକି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଭରଣା କରାଯିବ । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦୂର ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ । ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ ଲାଗି ମୟୂରଭଞ୍ଜ ଏସପି ୧୦ଲକ୍ଷ ଟଙ୍କା ପାଇବେ ଓ ରୋଗୀଙ୍କ କଲ୍ୟାଣ ପାଇଁ ଏହି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ଲକ୍ଷ ଯୋଗାଇ ଦିଆଯିବ ।