୪ ଦିନ ଗଣଧାରଣା ପରେ ରାମଶ୍ୱର ମହିଳା ମହାସଂଘର ଆମରଣ ଅନଶନ ଆରମ୍ଭ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ବନ୍ତ ବ୍ଲକ ସମ୍ମୁଖରେ ରାମେଶ୍ୱର ମହିଳା ମହାସଂଘ ରାମଚନ୍ଦ୍ରପୁର ପଞ୍ଚାୟତ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି । ପ୍ରକାଶ ଯେ, ରାମେଶ୍ୱର ପଞ୍ଚାୟତ ମହିଳା ମହାସଂଘର ସଭାପତି ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ବ୍ଲକର ବିପିଏମ୍ ବୀଣାପାଣି ପଣ୍ଡା ଓ ନୋଡାଲ ଅଫିସର ସସ୍ମିତା ସାହୁ ପଦବୀର ଅପବ୍ୟବହାର କରି ପଦବୀରୁ ହଟାଇବା ପାଇଁ କରିଥିବା ହୀନ ଉଦ୍ୟମ ପ୍ରତିବାଦରେ ଆଜି ଠାରୁ ଆମରଣ ଅନଶନ ଚାଲୁ ରହିଛି । ଗତ ତା-୨୯-୯-୨୦ ରିଖରେ ଫୋନ ମାଧ୍ୟମରେ ବ୍ଲକର ବିପିଏମ୍ ଓ ନୋଡାଲ ଅଫିସର ରାମଚନ୍ଦ୍ରପୁର ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ବୈଠକ ହେବା ପାଇଁ କହିଥିଲେ । କିନ୍ତୁ ବୈଠକରେ ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବୈଠକରେ ଏଜେଣ୍ଡା ଅନୁଯାୟୀ ଆଲୋଚନା ନହେବାରୁ ମହାସଂଘର ସଭାନେତ୍ରୀ ଓ ସଂପାଦିକା ଏହାର ପ୍ରତିବାଦ କରିଥିଲେ । ଏପରିକି ଉକ୍ତ ବୈଠକରେ କୋଭିଡ୍ ଆଇନକୁ ଉଲଂଘନ କରାଯାଇ ବାହାର ପାଶ୍ୱର୍ରୁ ତାଲା ପକା ଯାଇଥିଲା । ଏହାର ପ୍ରତିବାଦ କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସେତେବେଳେ ବିପିଏମ୍ ବୈଠକକୁ ଛାଡି ନଥିଲେ । ଉକ୍ତ ବୈଠକରେ ନୋଡାଲ ଅଫିସର ଓ ବିପିଏମ୍ ମହାସଂଘର ସଭାପତି ଓ ସଂପାଦିକାଙ୍କୁ କହିବାର ସୁଯୋଗ ଦେଇନଥିଲେ । ଏହାର ପ୍ରତିବାଦରେ ଗଣତାନ୍ତ୍ରିକ ପଦ୍ଧତିରେ ମହିଳା ମହାସଂଘ ପକ୍ଷରୁ ବିଗତ ୪ ଦିନ ଧରି ଧାରଣା ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଫଳରେ ଆଜି ଠାରୁ ମହିଳା ମହାସଂଘର ସଭାନେତ୍ରୀ ଉଷାରାଣୀ ବେହେରା, ସଂପାଦିକା କୁନ୍ତଳା ଜେନା ଅନଶନ ଆରମ୍ଭ କରିଛନ୍ତି । ଏହାକୁ ସମର୍ଥନ କରି ମହିଳା ମହାସଂଘର ଶତାଧିକ ମହିଳା ଧାରଣାରେ ବସିଥିଲେ । ଅପରପକ୍ଷେ ଏହି ଆନ୍ଦୋଳନକୁ ସିପିଆଇ ବନ୍ତ ଜୋନ୍ କମିଟି ପକ୍ଷରୁ ସମର୍ଥନ କରାଯାଇଛି । ଆନ୍ଦୋଳନ ସ୍ଥଳରେ ସଂପାଦକ ରମେଶ ଜେନା, ନିରଂଜନ ନାୟକ, ବରିଷ୍ଠ ସଭ୍ୟ ଗୋପବନ୍ଧୁ ସେଠୀ, ପଞ୍ଚାନନ ସେଠୀ, ମାର୍କଣ୍ଡ ବେହେରା ଉପସ୍ଥିତ ଥିଲେ । ସେହିଭଳି ବନ୍ତ ବ୍ଲକ କଂଗ୍ରେସ କମିଟି ତରଫରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଥିବା ଜଣାଇଛନ୍ତି ।