୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କର – ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:- ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । କେନ୍ଦ୍ରର ମତ ନ ଶୁଣି ଏକପାଖିଆ ଶୁଣାଣି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ. ଅବଦୁଲ ନଜୀର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏଏ ସମ୍ପର୍କିତ ୧୪୪ ପିଟିଶନର ଏକକାଳୀନ ଶୁଣାଣି କରିଥିଲେ। ଏସବୁ ପିଟିଶନଗୁଡ଼ିକ ମଧ୍ୟରୁ ଅନେକ ପିଟିଶନରେ ଆଇନକୁ ବିରୋଧ କରାଯାଇଥିଲାବେଳେ ଆଉ କିଛି ପିଟିଶନ ଆଇନ ସମର୍ଥନରେ ରହିଥିଲା। ଅଧିକାଂଶ ପିଟିଶନରେ ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲାବେଳେ ଆଉ କେତେକ ପିଟିଶନରେ ଆଇନକୁ ସାମ୍ବିଧାନିକ ଘୋଷଣା କରିବା ଲାଗି ଦାବି କରାଯାଇଛି।