୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ଭିନ୍ନକ୍ଷମ ପ୍ରଶାନ୍ତଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମର ପ୍ରଶାନ୍ତ ସାହୁ ଜଣେ ଶାରୀରିକ ଅକ୍ଷମ ହୋଇଥିଲେ ମଧ୍ୟ ଉତ୍ତମ ଚିକିତ୍ସା ନିମନ୍ତେ ଆର୍ଥିକ ଅନଟନ ଭିତରେ ଗତି କରୁଥିଲେ ।ଏଭଳି ପରିସ୍ଥିତିରେ ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗତ ୨୨/୧ ରେ ସମାଜ ଖବର ପ୍ରକାଶ ହେବା ସହ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ଭିନ୍ନକ୍ଷମ ପ୍ରଶାନ୍ତ ସାହୁ ଗତକାଲି ଧରାକୋଟ ବ୍ଲକରେ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନିଜର ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ଜନିତ ଆର୍ଥିକ ସହାୟତା ପାଇଁ ଦରଖାସ୍ତ ଦେଇଥିଲେ। ଶୁକ୍ରବାର ସକାଳେ ସାନଖେମୁଣ୍ଡି ବ୍ଲକ୍ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ଵାରା ୫ଟି ବିଭାଗର ସ୍ଵୀକୃତି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭିନ୍ନକ୍ଷମ ପ୍ରଶାନ୍ତ ସାହୁଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ୩୦ ହଜାର ଟଙ୍କାର ଅର୍ଥ ରାଶି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି ।ଏହି ଅବସରରେ ରାଧାଦେଇପୁର ସରପଞ୍ଚ ଡି.ରାକେଶ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ, ଶିବରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଓସ୍କର୍ଡ ବ୍ୟାଙ୍କ ପୂର୍ବତନ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଭିନ୍ନକ୍ଷମ ପ୍ରଶାନ୍ତଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।


