୫ଟି ଜିଲ୍ଲାର ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀମାନଙ୍କ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଦ୍ୟୁତ୍ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀମାନଙ୍କୁ ନେଇ ନବଗଠିତ ନର୍ଥ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଘର ବୈଠକ ମଙ୍ଗଳବାର ଦିନ ପୂର୍ବାହ୍ନରେ ବାଲିଆସ୍ଥିତ ପାୱାର ଏମ୍ପ୍ଲୟିଜ୍ ୟୁନିୟନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜଗଦୀଶ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଆଶୀଷ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଜେନା ଓ ଆବାହକ ତଥା କୋଷାଧ୍ୟକ୍ଷ ଭରତ ଚନ୍ଦ୍ର ସେଠି ପ୍ରମୁଖ ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ସଂଘ ଗଠନର ଆବଶ୍ୟକତା ସଂପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂସ୍ଥାରେ କାର୍ଯ୍ୟକରି ଅବସର ନେଇଥିବା ସମସ୍ତ କର୍ମଚାରୀ ସଂଘର ସଭ୍ୟଭୁକ୍ତ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ବିଦ୍ୟୁତ୍ କର୍ମଚାରୀମାନଙ୍କ ଦୀର୍ଘଦିନରୁ ବେତନ ଫିଟ୍‌ମେଣ୍ଟ୍ କମିଟିର ସୁପାରିଶ ଅନୁଯାୟୀ ବକେୟା ପ୍ରାପ୍ୟକୁ ଟାଟା ପାୱାର କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ପଇଠ କରିଥିବାରୁ ବୈଠକରେ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦିଆଯାଇଛି । ଅବସର ନେଇଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଏନ୍‌ଏମ୍‌ଆର୍ କାର୍ଯ୍ୟକାଳର ଗ୍ରାଚ୍ୟୁଇଟି ପ୍ରଦାନ ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟସେବା ବୀମାଭୁକ୍ତ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି । ଚାକିରିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ସମସ୍ତ ଆଇନଗତ ପ୍ରାପ୍ୟ ଅବସର ନେବା ଦିନ ହିଁ ପଇଠ କରିବାକୁ ବୈଠକରେ ଦାବି କରାଯାଇଛି । ଦୀର୍ଘବର୍ଷ କାମ କରି ଅବସର ନେଇଥିବା କିମ୍ବା ଚାକିରିକାଳରେ ଅକାଳ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ବିଦ୍ୟୁତ୍ ଶୁଳ୍କରେ ରିହାତି ପ୍ରଦାନ ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ରାଜ୍ୟ ଏଆଇଟିୟୁସିର ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଉଠାଜଳସେଚନ ନିଗମରୁ ଅବସର ନେଇଥିବା କର୍ମଚାରୀ ସଂଘର ସଂପାଦକ ଶରତ ଚନ୍ଦ୍ର ଦଳାଇ ବୈଠକରେ ଅତିଥି ଓ ବକ୍ତାଭାବେ ଯୋଗଦେଇ ବିଦ୍ୟୁତ୍ ଗ୍ରାହକ ଓ ବିଦ୍ୟୁତ୍ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଅବସର ନେଇଥିବା ଅଭିଜ୍ଞତାସମ୍ପନ୍ନ କର୍ମଚାରୀମାନେ ବିତରଣ କଂପାନୀକୁ ପରାମର୍ଶ ଦେବା ଉଚିତ୍ ବୋଲି ମତ ଦେଇଥିଲେ । ଏହି ବୈଠକରେ ନବକିଶୋର ଦାସ, ଉମାକାନ୍ତ ପଢ଼ିଆରୀ, ରଘୁନାଥ ବାରିକ, କମଳ ଲୋଚନ ମଣ୍ଡଳ ଓ ଗଜେନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆନନ୍ଦ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ