୫ମ ଶ୍ରେଣୀ ଛାତ୍ରୀ ଉତ୍ତୋଳନ କଲେ ଜାତୀୟ ପତାକା
ଭୁବନେଶ୍ୱର-: ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ସୀମାରେ ଥିବା ଚତାବର ପଞ୍ଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀରେ ୭୧ତମ ସାଧାରଣ ତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଏଠି ବିଦ୍ୟାର୍ଥୀ ସାଜନ୍ତି ଅତିଥି । କରନ୍ତି ପତାକା ଉତ୍ତୋଳନ । ଚଳିତବର୍ଷ ୫ମ ଶ୍ରେଣୀର ଛାତ୍ରୀ ଘୁମି ବିରୁଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ବିଧାନ ପ୍ରଣେତା ଡଃ ବି. ଆର. ଆମ୍ବେଦକରଙ୍କ ସ୍ମୃତିଚାରଣ ସେ କରିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ
ଗହଣରେ ଏହି ରାଷ୍ଟ୍ରୀୟ ପର୍ବର ମହତ୍ୱକୁ ନେଇ ଚର୍ଚ୍ଚା କରାଯାଇଥିଲା । ସୂଚନାଯୋଗ୍ୟ ୨୦୧୬ରେ ଗ୍ରାମବାସୀମାନେ ଏକାଠି ହୋଇ ପ୍ରଥମଥର ପାଇଁ ସାଧାରଣତନ୍ତ୍ର ଦିବସ ପାଳିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରଥମେ ଏପରି ଏକ ଜାତୀୟ ପର୍ବ ପାଳନ ଓ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ସେହିଦିନ ଠାରୁ ବିଗତ ୫ ବର୍ଷ ଧରି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଆସୁଛି । ଜଙ୍ଗଲ ଘେରା ଏହି ଗାଁର ବିଦ୍ୟାଳୟ ପରିସର ମଧ୍ୟରେ ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଗୋବର ଓ ମାଟିରେ ଲିପା ପୋଛା କରି ରଙ୍ଗ ବେରଙ୍ଗ ଫୁଲରେ ସଜାଇଥିଲେ । ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ
ଦିଆଯାଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେଇଥିଲେ ।