୫ଶହ ଟଙ୍କାରେ ଅଧା ବ୍ୟାଗ୍, କିଲେ ଜାଗାରେ ଅଢେଇଶହରେ ସନ୍ତୁଷ୍ଟି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଏକଦା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖରିଡ଼ା, ଆଲପୁର, ରାଳବ, ସିକିରି, ଖଣ୍ଡରା, ଚାନ୍ଦୁଲି , ଶାସନ ଆମ୍ବଗାଁ, ଅଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି । ଏହା ଛଡା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ବର୍ତ୍ତମାନ ଧାନ ଚାଷ କରୁଛନ୍ତି। ଯାହା ଫଳରେ ପରିବା ପାଇଁ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ ହେଉଥିବା ପନିପରିବା ବହୁଳ ପରିମାଣରେ ବାହାର ଅଞ୍ଚଳକୁ ରପ୍ତାନି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଓଷା ବ୍ରତ ତଥା ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନି । ତେଣୁ ଏହି ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବାର ଚାହିଦା ବେଶ୍ ଅଧିକ । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ପରିବା ଦର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ପିଛା ୩୫ ଟଙ୍କା ରହିଥିବା ବେଳେ ପିଆଜ ୬୦, ଟମାଟୋ ୬୦ରୁ ୭୦, ଫୁଲକୋବି ୮୦, ବିନ୍ସ ୧୦୦ ରୁ ୧୨୦, ପୋଟଳ ୫୦, ସାରୁ ୪୦, ଭେଣ୍ଡି ୪୦, ବନ୍ଧାକୋବି ୪୦ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଗୋବର୍ଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା , କଞ୍ଚା ଲଙ୍କା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡା ଶାଗ ବିଡା ୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତ୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ବାଧୁଛି, ଆବଶ୍ୟକ ଠାରୁ କମ୍ ପରିମାଣରେ ନେଇ କାମ ଚଳାଇବାକୁ ପଡୁଛି ବୋଲି କିଛି ଗ୍ରାହକ କହିଛନ୍ତି । ଗରିବ ପରିବାରର ହାଣ୍ଡିଶାଳରେ ସତେଯେମିତି ବଜ୍ରପ୍ରହାର ପଡିଛି।
ଏ ନେଇ ସେମାନେ ଯାହା କୁହନ୍ତି, ପଦ୍ମିନୀ ସାହୁ, ଗୃହିଣୀ ଏବେ ବଜାରରେ ପରିବା ଦର ଯାହା ତାକୁ ନେଇ ପରିବାର ଚଳାଇବା କାଠିକର ପାଠ । କହିଲେ ଜାଗାରେ ପାଏ ନେଇ କାମ ଚଲାଇବାକୁ ପଡୁଛି। ଏଭଳି ସ୍ଥିତିରେ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ । ସବିତା ପଣ୍ଡା, ଗୃହିଣୀ ଦୈନିକ ରୋଜଗାର କଲେ ପେଟ ଚଳୁଛି। ନିକଟରେ ପିତୃପକ୍ଷ ଗଲା, ସେତେବେଳେ ଆମିଷ ବଜାର ମାନ୍ଦା ଥିଲା, ଏବେ ପୁଣି କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନକରିବାକୁ ପନିପରିବା ଉପରେ ନିର୍ଭର କରିବାକୁ ପଡୁଛି। ପରିବା ଦର ଅସହ୍ୟ ହୋଇପଡିଛି । ପ୍ରମୋଦ କୁମାର ପଣ୍ଡା, ସଭାପତି ବିକାଶ ମଞ୍ଚ ପରିବା ଦର ବୃଦ୍ଧି ଗରିବ ଖାଉଟିଙ୍କ ପେଟରେ ଲାତ ସଦୃଶ। ବର୍ତ୍ତମାନ ପରିବା ଦର ହାଣ୍ଡିଶାଳାରେ ଭୁକମ୍ପ ସୃଷ୍ଟି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ