୫୦ ହଜାର ଟଙ୍କା ମୂଲ୍ୟର ପାଲ ଚୋରି ଅଭିଯୋଗ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ରେଳ ଲାଇନ ତଟରେ ଥିବା ଜଣେ ବ୍ୟକ୍ତିଙ୍କ ଜମିରୁ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ପାଲ ଚୋରି ଯାଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରାଣୀପେଣ୍ଠ ରେଳଲାଇନ ତଟସ୍ଥ ସୁରିୟା ଟେକ୍ନୋ ପଛପଟେ ଥିବା କୁନା ସାହୁଙ୍କ ଜମିରୁ ଏହି ପାଲ ଚୋରି ହୋଇଛି । ଶ୍ରୀ ସାହୁ ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଧାନ ଅମଳ ହୋଇ ଧାନ ଗଦା କରି ଖଳାରେଖାଯାଇଥିଲା । ଗତ କିଛି ଦିନ ପୂର୍ବେ ହୋଇଥିବା ଲଗାଣ ଝିପି ଝିପି ବର୍ଷା ଯୋଗୁଁ ଗୋଟିଏ କଳା ରଂଗ ପାଲ ସହ ୫ଗୋଟି ଧଳା ରଂଗର ପାଲକୁ ଧାନଗଦା ଉପରେ ଘୋଡାଇ ଦିଆଯାଇ ରଖା ଯାଇଥିଲା । ତେବେ ଗତ କାଲି ରାତ୍ର ସମୟରେ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି । ଆଜି ସକାଳ ସମୟରେ ନିଜ ଧାନ ଖଳାକୁ ଯାଇ ଦେଖିବାବେଳେ ସେଠାରେ ଗୋଟିଏ ବି ପାଲ ନଥିବାର ଦେଖିବାକୁ ପାଇଥିଲି ବୋଲି ଜଣାଇଛନ୍ତି ।