୫-ଟି ଅନ୍ତର୍ଭୁକ୍ତ କମାଗଡ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦାବୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ କମାଗଡ ଗ୍ରାମ ପଞ୍ଚାୟତର କମାଗଡ ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ଜାନୁୟାରୀ ମାସ ୧୧ ତାରିଖରେ ଉଦ୍ଘାଟନ କରାଯାଇଥିଲା । ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍ରୁମ୍, କ୍ରୀଡା, କମ୍ପ୍ୟୁଟର୍ ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହେଉଛି । ୧୯୯୮ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ କମାଗଡ ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ନବମରୁ ଦଶମ ଶ୍ରେଣୀରେ ପ୍ରାୟ ୬୫ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଗଣିତ ଓ ଇଂରାଜୀ ଏବଂ କମ୍ପ୍ୟୁଟର ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମି ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ତତ୍କାଳୀନ ରାଜ୍ୟ ସରକାର ପ୍ରଚଳନ କରିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ । ଆସିକା ବ୍ଳକ ଓ ଏନଏସି ଅନ୍ତର୍ଗତ ସମସ୍ତ ୩୪ଟି ଉଭୟ ସରକାରୀ ଓ ବ୍ଳକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ସରକାର ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ । ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି । ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସନ୍ତା ଫେବୃୟାରୀ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଆସିକା ବ୍ଳକ ଅନ୍ତର୍ଗତ କମାଗଡ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ଶିକ୍ଷକ ଅଭାବରୁ ଗଣିତ ଓ ଇଂରାଜୀ ପାଠ୍ୟକ୍ରମରେ ଜ୍ଞାନ ଆହରଣ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଯାହାରି ଫଳରେ ଗଣିତ ଓ ଇଂରାଜୀ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ସାଂପ୍ରତିକ ପରିସ୍ଥିତିରେ କୋଚିଂ ସେଣ୍ଟର କିମ୍ବା ଟ୍ୟୁସନ୍ ଉପରେ ଭରଷା କରୁଥିବା ଜଣାପଡିଛି । ଅପର ପକ୍ଷରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ବିଦ୍ୟୁତ ବିଲ୍କୁ ରାଜ୍ୟ ସରକାରଙ୍କ ଅନୁଦାନରୁ ପୈଠ କରାଯାଉଥିଲା ବେଳେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ଚଳିତବର୍ଷରୁ ବଞ୍ଚିତ କରାଯାଇଥିବା ଯୋଗୁଁ ଉକ୍ତ ଅନୁଷ୍ଠାନ ଗୁଡିକ ବିଦ୍ୟୁତ୍ ବିଲ୍ ପରିଶୋଧ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକୁ ବିଦ୍ୟୁତ ବିଲ୍ ପରିଶୋଧ କରିବା ପାଇଁ ସରକାରଙ୍କ ପକ୍ଷରୁ ବର୍ତ୍ତମାନ୍ ଅନୁଦାନ ଆସୁନଥିବା ଯୋଗୁଁ କିପରି ଉକ୍ତ ଶିକ୍ଷାନୁଷ୍ଠାନର ବିଦ୍ୟୁତ୍ ବିଲ୍ ପରିଶୋଧ କରିବେ ସେ ନେଇ କେତେକ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ମାନସିକ ଚିନ୍ତାରେ କାଳାତିପାତ କରୁଥିଲା ବେଳେ ଯଦି ବିଦ୍ୟୁତ୍ ବିଲ୍ ପରିଶୋଧ ନକରିବା କାରଣରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଏ ତେବେ ଶିକ୍ଷାନୁଷ୍ଠାନ ଗୁଡିକରେ ଲାଗିଥିବା ଏଲ୍ଇଡି, କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ କମାଗଡ ଗ୍ରାମ ପଞ୍ଚାୟତର କମାଗଡ ଉଚ୍ଚବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବରିଷ୍ଠ ସମାଜସେବୀ ବଟକୃଷ୍ଣ ପାଢୀ ଅନୁରୋଧ କରିଥିବା ଲକ୍ଷ୍ୟ କରାଯାଇଛି ।