୫ ଦଫା ଦାବି ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟୀକା ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏଆଇୟୁଟିୟୁସି ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟୀକା ସଂଘ ପକ୍ଷରୁ ଗୁରୁବାର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାନ କରାଯିବା ସହ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ପ୍ରଦାନ କରାଯାଇଛି । ଦାବି ମଧ୍ୟରେ ରହିଛି ପାଚିକା,ସହାୟୀକାଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ଓ ଅନ୍ୟୁନ ସର୍ବନିମ୍ନ ମଜୁରୀ ପ୍ରଦାନ, ଅଙ୍ଗେଶ୍ୱରପଡା, ମାରେଡା, ଗାରୋଇ ଆଦି ଅଧିକ ଉପସ୍ଥାନ ଥିବା ବିଦ୍ୟାଳୟରେ ଅବିଳମ୍ବେ ପାଚିକା ସହାୟୀକାଙ୍କୁ ନିଯୁକ୍ତି ପ୍ରଦାନ, ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ହୋଇଥିବା ବିଦ୍ୟାଳୟରୁ ଛଟେଇ ହୋଇଥିବା ପାଚିକା ସହାୟୀକାଙ୍କୁ ପୁନଃ ନିଯୁକ୍ତି, ମାସର ପ୍ରଥମ ସପ୍ତାହରେ ନିୟମିତ ପାରିଶ୍ରମିକ ପ୍ରଦାନ କରିବା, ବକେୟା ଥିବା ୨୮ମାସର ପାରିଶ୍ରମିକ ଯଥା ଶୀଘ୍ର ପ୍ରଦାନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଜିଲ୍ଲା ସଭାପତି ପ୍ରଦୀପ୍ତ ରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟ ସଂପାଦକ ରାଜକିଶୋର ମଲ୍ଲିକ, ଜିଲା ସଙ୍ଗଠକ ସୁବାସ ସ୍ୱାଇଁ, ବ୍ଳକ କମିଟି ସଭାପତି ସାବିତ୍ରୀ ମହାପାତ୍ର, କବିତା ସେଠୀ, ଉର୍ମିଳା ସାହୁ, ଉଷାରାଣୀ ବାଲ, କାମିନୀ ସ୍ୱାଇଁ, ମାଳତୀ ମହାନ୍ତି, ସରସ୍ୱତୀ ସାହୁ ଆଦି ଯୋଗ ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ ।


