୫ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି ଏମଏସଏମଇ ପାର୍କ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର ନୁଆପଡା କୁର୍ଲୁପଡା ଗ୍ରାମ ନିକଟରେ ଥିବା ଅର୍ଦ୍ଧନିର୍ମିତ ଏମଏସଏମଇ ପାର୍କ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି। କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ବିଜେଡି ଶାସନ ସମୟରେ ୧୨କୋଟି ବ୍ୟୟ ଅଟକଳରେ ଏହା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଆଜକୁ ୫ବର୍ଷ ବିତିଗଲାଣି ସମ୍ପୁର୍ଣ୍ଣ ହୋଇପାରୁନାହିଁ। ତାହାକୁ କାର୍ଯ୍ୟ କ୍ଷମ କରିବାକୁ କୁର୍ଲୁପଡା ଗ୍ରାମବାସୀ କେସିଙ୍ଗା ବ୍ଲକ ପରିସରରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗତକାଲି ଅଭିଯୋଗ କରିଛନ୍ତି।ବର୍ତ୍ତମାନର ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରିଛନ୍ତି। ଗତ ୧୯୮୩ ମସିହାରେ କୁର୍ଲୁପଡା ଓ ନୂଆପଡା କୁର୍ଲୁପଡା ଗ୍ରାମର ୧୫୦ଜଣ ଚାଷୀଙ୍କ ଠାରୁ ୧୮୦ ଏକର ଜମି ଜୟପୁରସ୍ଥିତ ସେବା ପେପର ମିଲ ଜମି ଅଧିଗ୍ରହଣ କରିଥିଲା। ଗତ ୧୯୮୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳେ ଶିଳାନ୍ୟାସ ହୋଇଥିଲା। ଜମି ବିକିଥିବା ଚାଷୀଙ୍କୁ ସେବା ପେପର ମିଲ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା, ଆଜି ହେବ କାଲି ହେବ ବୋଲି ଆଜକୁ ୪୧ ବର୍ଷ ବିତିଯାଇଥିଲେ ମଧ୍ୟ ପେପର ମିଲ ହୋଇ ପାରିଲା ନାହିଁ କି ଉଦ୍ୟୋଗ ମଧ୍ୟ ହୋଇ ପାରୁ ନାହିଁ।
ସେବା ପେପର ମିଲର ମିଲ ମାଲିକ ଗତ ୧୯୯୪-୯୫ ମସିହାରେ ଗୁପ୍ତ ଭାବେ ଇଡ୍‌କୋ ସଂସ୍ଥାକୁ ବିକ୍ରି କରିଦେଲା। ଚାଷୀମାନେ କୌଣସି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନ ହେବାରୁ ନିଜ ନିଜର ଜମି ଫେରି ପାଇବା ପାଇଁ ଚାଷୀମାନେ ଇଡ୍‌କୋ ନାମରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ।ଉଚ୍ଚ ନ୍ୟାୟାଳୟ ର ଆଦେଶ ଅନୁସାରେ ଚାଷୀଙ୍କୁ ଏକର ପ୍ରତି ୧୫ ହଜାର ହିସାବରେ ଅର୍ଥ ଦିଆଯାଇଥିଲା। କିନ୍ତୁ ଗତ ୨୦୨୦-୨୧, ୨୨ -୨୩ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଉକ୍ତ ଜମି ଉପରେ ଏକ କ୍ଷୁଦ୍ର ,ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାଣ କରିବା ପାଇଁ ପ୍ରଥମେ ଜମିର ଚତୁଃପାର୍ଶ୍ୱରେ ବାଡ଼ା ବାବଦକୁ ୨ କୋଟିରୁ ଉଦ୍ଧର୍‌ବ ଖର୍ଚ୍ଚ କରି ବାଡ଼ା ନିର୍ମାଣ କରାଯାଇଥିଲା। ଉକ୍ତ ଜମି ପରିସରରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପାର୍କ ନିର୍ମାଣ କରିବା ପାଇଁ ପିଚୁରାସ୍ତା, ଡ୍ରେନ ନିର୍ମାଣ କରାଯାଇଛି। ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦ୍ୟୋଗ ମନ୍ତ୍ରୀ କଳାହାଣ୍ଡି ଜିଲାର ଦିବ୍ୟଶଙ୍କର ମିଶ୍ର ଖୋଦ ମନ୍ତ୍ରୀ ଥାଇ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ବିଜେଡିର ଶାସନ ଚାଲି ଯିବାରୁ ଆଜିକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଉଦ୍ୟୋଗ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। କୁର୍ଲୁପଡା ଗ୍ରାମର ୧୫୦ ଜଣ ଚାଷୀ ଜମି ହରାଇ ଆଜିକୁ ୪୧ବର୍ଷ ବିତିଯାଇଥିଲେ ମଧ୍ୟ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି। ଏହି ୧୮୦ଏକର ଜମିରୁ ଗତ ୨୦୦୭-୦୮ମସିହାରେ ଏନଏସି ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ୧୨ଏକର ଜମି ମଧ୍ୟ ଦିଆଯାଇଛି। ବର୍ତ୍ତମାନ ନୂତନ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଉଦ୍ୟୋଗକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ପଲ୍ଲୀ ସଭା ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ