୫ ବାଲି ବୋଝେଇ ଟ୍ରାକ୍ଟର ଜବତ : ୫ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗତ କିଛି ଦିନ ଧରି ହିଞ୍ଜିଳି ତହସିଲ ଅଞ୍ଚଳର ଋଷିକୂଲ୍ୟା, ଘୋଡ଼ାହାଡ଼ ନଦୀ ପଠାରୁ ରୀତିମତ ଭାବେ ନିଶାର୍ଦ୍ଧ ରାତିରେ ବାଲି ଚୋରା ଚାଲାଣ ହେଉଥିବା ସାଧାରଣ ଘଟଣାରେ ପରିଣତ ହୋଇଛି । ତହସିଲ ପକ୍ଷରୁ ନିଲାମ ହୋଇନଥିବା ବାଲି ସୌରାତ ଉତ୍ସ ଗୁଡ଼ିକରୁ ସୁବିଧା ସୁଯୋଗ ଉଣ୍ଡି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ବାଲି ଚୋରା ଚାଲାଣରେ ସାମିଲ ଥିବା ବହୁ ମାଫିଆ ଯେଣତେଣ ପ୍ରକାରେ ଚୋରା ବାଲି ଚାଲାଣରେ ଲିପ୍ତ ରହି ନିଜ ନିଜ ସାମ୍ରାଜ୍ୟ ବିସ୍ତାର କରିବା ଏବେ ଦେଖାଦେଇଛି । ବାଲି ଚୋରାଚାଲାଣ ସେମାନଙ୍କ ପାଇଁ ଏବେ କୁଟୀରଶିଳ୍ପରେ ପରିଣତ ହୋଇ ମାଲାମାଲ ହେଉଥିବା ସାଧାରଣରେ ଆଲୋଚନା ପାଲଟିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧର୍ମକୁ ଆଖି ଠାର ନ୍ୟାୟରେ କେବେ କେମିତି ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ଭୋରରେ ଏକା ସଙ୍ଗରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ସେଥିମଧ୍ୟରୁ ସ୍ଥାନୀୟ ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ବେଳେ ସ୍ଥାନୀୟ ଥାନା ବୁରୁପୋଡ଼ା ଗ୍ରାମ ନିକଟରେ ଅତର୍କିତ ଚଢାଉ କରି ୨ଟି ଟ୍ରାକ୍ଟର ଜବତ କରିଛି । ସେହିପରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ବେଳେ ସିକିରି ଗ୍ରାମ ନିକଟରେ ପୁଲିସର ଏକ ଟିମ୍ ଚଢାଉ କରି ଆଉ ୩ଟି ଟ୍ରାକ୍ଟର ଜବତ କରିଛି । ଗତ କିଛି ଦିନ ପୂର୍ବରୁ ସିକରି ଗ୍ରାମ ନିକଟରୁ ପୋଲିସ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ । ବର୍ତ୍ତମାନ ସପୃଂକ୍ତ ଗ୍ରାମ ନିକଟରୁ ୩ଟି ଟ୍ରାକ୍ଟର ଜବତ ଘଟଣାରୁ ରୀତିମତ ଭାବେ ବାଲି ଚୋରା ଚାଲାଣ ହେଉଥିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଓ ବାଲି ମାଫିଆଙ୍କ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ସଂପୃକ୍ତି ରହୁଥିବାରୁ ବେଆଇନ ବାଲି ଚୋରାଚାଲାଣ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ବାଲି ମାଫିଆ ଓ ପ୍ରଭାବଶାଳୀ ଆର୍ଥୀକ ପରିପୃଷ୍ଠ ହୋଇ ଲାଭାନ୍ନିତ ହେଉଥିବା ବେଳେ ଅନ୍ୟପକ୍ଷରେ ସରକାରଙ୍କ ବିପୁଳ ପରିମାଣର ରାଜସ୍ୱ କ୍ଷତି ହେଉଥିବା ଜଣାପଡ଼ିଛି । ଶୁକ୍ରବାର ଜବତ ୫ ଟ୍ରାକ୍ଟର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୪୮, ୪୯, ୫୦, ୫୧ ଓ ୫୨/୨୨ରେ ୫ଟି ପୃଥକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।