୫-ସଚିବ ଭି.କେ.ପାଣ୍ଡିଆନ୍ଙ୍କ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦେଶ ଦେଇଥିଲେ । ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାର ପ୍ରସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର, ଗୋଲରହାଟସ୍ଥିତ ଦଧିବାମନଜୀଉ ମନ୍ଦିର ଓ ରାମନଗରସ୍ଥିତ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ଡି.ପି.ଆର. ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ । ମହାକାଳପଡା ବ୍ଲକସ୍ଥିତ ଆଡୋଇ ଠାରେ ପ୍ରସ୍ତାବିତ ଆରସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ପଦାଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସେଠାରେ ସେ ମାର୍ଶାଘାଇ -ଜମ୍ବୁ କେନାଲ ବନ୍ଧ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ୧୧୦କୋଟି ଟଙ୍କା ବ୍ୟୟରେ ନିର୍ମିତ୍ତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ୧୩୦ରୁ ଉର୍ଦ୍ଧ୍ୱ ନାଗରିକ ସମାଜ(ସିଭିଲ ସୋସାଇଟି), ବିଭିନ୍ନ ସଂସ୍ଥା ଓ ସଙ୍ଘମାନଙ୍କ ସହିତ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକମାନଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ ତାହାର ତୁରନ୍ତ ସମାଧାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ଉପଯୁକ୍ତ ପର୍ଯ୍ୟାଲୋଚନା କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ଶ୍ରୀ ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର ଆର.ଏମ.ସି. କମ୍ପେ୍ଲକ୍ସକୁ ଯାଇ ସେଠାରେ ୫ଶହ ମେଟ୍ରିକ ଟନ ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ ସଙ୍କଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେଠାରେ ଗୋଲଡେନ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପରେ କାର୍ଯ୍ୟକରୁଥିବା ସ୍ୱୟଂ ଶହାୟିକା ଗୋଷ୍ଠିର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ବିଭିନ୍ନ ଉତ୍ପାଦ ସାମଗ୍ରୀର ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ । ପରେ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଙ୍କଟମୋଚନ ଓ ମା ଶାରଳା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସହ ସଧାସଳଖ ସଂଶ୍ଳିଷ୍ଟ ହୋଇ ପ୍ରକଳ୍ପକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ପଟ୍ଟାମୁଣ୍ଡାଇ ପ୍ଲମ୍ବିଂ ଇନଷ୍ଟିିଟ୍ୟୁଟ ପରିଦର୍ଶନ କରି ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ପାସ ପରେ ପିଲାମାନେ ଯେପରି ତୁରନ୍ତ ନିଯୁକ୍ତି ପାଇପାରିବେ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଇନଡୋର ଷ୍ଟାଡିୟମ ଓ ଇନଡୋର ହଲ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଶୀର୍ଘ ସମ୍ପୂର୍ଣ୍ଣ ପାଇଁ ପରାମର୍ଶ ଦେଇଥିଲେ ।ଗୋଲର ହାଟ ଠାରେ ସେ ମିଶନଶକ୍ତି ଅଧିନସ୍ତ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠି ଦ୍ୱାରା ପରିଚାଳିତ ଏମ୍ବ୍ରୋଡୋରୀ ଷ୍ଟିଚିଙ୍ଗ ୟୁନିଟ ପରିଦର୍ଶନ କରିଥିଲେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକୁ ଅଧିକ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଡେରାବିଶ ବ୍ଲକରେ ଏକ ମିଶନଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ଡେରାବିଶରେ ସେ ପ୍ରାୟ ୬ଶହ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଓ ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏକ୍ଷେତ୍ର ପାଇଁ ଅର୍ଥର କୈାଣସି ଅଭାବ ରହିବ ନାହିଁ ବୋଲି ସେ କହିଥିଲେ । ଏହି ପରିଦର୍ଶନ ସମୟରେ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।