୬ମାସ ବିତିଲା ସର୍ପାଘାତରେ ମୃତ୍ୟୁବରଣ କରିଥିବା ମୃତକ ପରିବାରକୁ ମିଳୁନି ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ସର୍ପାଘାତରେ ମୃତ୍ୟୁବରଣ କରିଥିବା ମୃତକ ପରିବାରକୁ ୬ ମାସ ବିତି ଯାଇଥିଲେ ମଧ୍ୟ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ବେଗନା ଗ୍ରାମର ଜଳଧର ନାୟକଙ୍କ ପତ୍ନୀ ପୂର୍ଣ୍ଣିମା ନାୟକ(୪୨) ଗତ ୨୦୨୪ ମସିହା ଅଗଷ୍ଟ ୧୯ରେ ସର୍ପାଘାତରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁର ୧୫ ଦିନ ପରେ ସ୍ୱାମୀ ଜଳଧର ନାୟକ ସରକାରୀ ସହାୟତା ପାଇବା ନେଇ ସମସ୍ତ ପ୍ରମାଣ ପତ୍ର ସହ ତହସିଲରେ ଆବେଦନ କରିଥିଲେ । ରାଜସ୍ୱ ନୀରିକ୍ଷକଙ୍କ ପକ୍ଷରୁ ତଦନ୍ତ କରାଯାଇ ତହସିଲକୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ହେଲେ ସ୍ୱର୍ଗତ ପୂର୍ଣ୍ଣିମାଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ପରିବାରଲୋକେ ବାରମ୍ବାର ଅଫିସ ଦୌଡୁ ଥିଲେ ମଧ୍ୟ ସହାୟତା ରାଶି ମିଳୁନାହିଁ । ଗତ ଜାନୁଆରୀ ୧୦ରେ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲାପାଳଙ୍କୁ ଡାକ ଯୋଗେ ଅଭିଯୋଗ କରିଥିବା କହିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସହାୟତା ତାଙ୍କୁ ମିଳି ନଥିବା ସେ କହିିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।