୬ରୁ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସିଟିକ୍ଲବ ନୟାପଲ୍ଲୀ ଏବଂ ଭୁବେନଶ୍ୱର ଫୁଟବଲ ଟେନିସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୪ର୍ଥ ନରେନ୍ଦ୍ର ଜେନା ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ଟେନିସ ଟୁର୍ଣ୍ଣାମେଣ୍ଟ ଆସନ୍ତା ୬ ଓ ୭ ତାରିଖ ଦୁଇଦିନ ଧରି ମମତାଜଅଲ୍ଳୀ ହାଇସ୍କୁଲ, ନୟାପଲ୍ଲୀ ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ । ସେଗୁଡ଼ିକ ହେଲେ କଟକ, ଭଦ୍ରକ, ଯାଜପୁର, ଭୁବନେଶ୍ୱର, ଫୁଲବାଣୀ, କନ୍ଧମାଳ, ରାଉରକେଲା, ଢେଙ୍କାନାଳ । ଏହି ଟୁର୍ଣ୍ଣାମେଣ୍ଟକୁ ଆନ୍ତର୍ଜାତୀୟ ରେଫରୀ ସୁଜିତ ପାତ୍ର, ରଶ୍ମିତା ମହାନ୍ତି, ଆନା କେରେ୍କେଟା ପ୍ରମୁଖ ପରିଚାଳନା କରିବେ । ଟୁର୍ଣ୍ଣମେଣ୍ଟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ରାଷ୍ଟ୍ରୀୟ ଉପସଭାପତି ସହଦେବ ରାଉତ, ଚେୟାରମ୍ୟାନ ଡ. ସୌର୍ଯ୍ୟରଞ୍ଜନ ପରିଜା, ପଞ୍ଚାନନ ବଳ, ଯୋଗେନ୍ଦ୍ର ଜେନା, ତପନ ଭଞ୍ଜ, ତ୍ରିନାଥ ମଙ୍ଗରାଜ, ମହମ୍ମଦ ଜିଆଉଦ୍ଦିନ, କୋଷାଧ୍ୟକ୍ଷ ଅରୁଣ କୁମାର ସାହୁ, ଦିବ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ଖେଳାଳୀ ଚୟନ କରାଯାଇ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦଳ ବଛାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଆଓ ନେଷ୍ଟ ଏଣ୍ଟରଟେନମେଣ୍ଟ ମୁଖ୍ୟ ସହଯାଗୀ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ହୋଟେଲ ଚନ୍ଦନଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଅନୁରୋଧ କରିଛନ୍ତି ।


