୬ରୁ ୮ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ
କଟକ : କଟକ ସହର ସଟଡାଉନ ଘୋଷଣା କରାଯାଇଥିବା ବେଳେ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟ ବନ୍ଦ ରହିବ। ସିଏମସି ପକ୍ଷରୁ ସଟଡାଉନ ନେଇ ଜୁଲାଇ ୪ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୯ ତାରିଖ ପାଇଁ ଆସାଇନ୍ମେଣ୍ଟ ଓ ବେଞ୍ଚ କନଷ୍ଟିଚ୍ୟୁସନ୍ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ୬ ତାରିଖ ପାଇଁ ପ୍ରକାଶିତ ବେଞ୍ଚ ଜୁଲାଇ ୯ରେ ବସି ୬ ତାରିଖର କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାର ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପ୍ରକାଶ ଯେ, କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କଟକ ସହରକୁ ଶନିବାର ସଟଡାଉନ ଘୋଷଣା କରାଯାଇଥିଲା । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସିଏମସି ପକ୍ଷରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ରଖିବାକୁ ଘୋଷଣା କରାଯାଇଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବ ନାହିଁ । ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ସକାଳ ୫ରୁ ସନ୍ଧ୍ୟା ୬ଯାଏ ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ଖୋଲିବ । ଔଷଧ ଦୋକାନ ନିୟମିତ ଖୋଲିବ । ଅନଲାଇନ ଡେଲିଭରି ଚାଲୁ ରହିବ । ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।