୬ଶହ ଲିଟର ଦେଶୀମଦ ଜବତ, ୩ ଯୁବକ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଅବକାରୀ ବିଭାଗ ସଦର ଶାଖା ପକ୍ଷରୁ ନିମିକି ସଡ଼କର ଶ୍ରୀଜଙ୍ଗ ନିକଟରୁ ୩ ଜଣ ଚୋରା ଦେଶୀମଦ ଚାଲାଣକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬ଶହ ଲିଟର ଦେଶୀମଦ ସହ ୪ଟି ବାଇକ ଅବକାରୀ ଟିମ ଜବତ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ପୁରୁଣାବାଲେଶ୍ୱର ଗଙ୍ଗାରାମପାଟଣାର ତପନ ମହାନ୍ତି(୩୧) ଓ ଚୁନପଠାର କରୁଣାକର ବାରିକ(୨୯) ଏବଂ ବଡ଼ଖୁଆ ଅଞ୍ଚଳର ସୁଶାନ୍ତ ଜେନା(୧୯) । ପୁରୁଣା ବାଲେଶ୍ୱରରୁ ସୋର ଓ ଭଦ୍ରକ ଅଞ୍ଚଳକୁ ଚୋରା ଦେଶୀରମଦ ଚାଲଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଅବକାରୀ ଅଧିକାରୀ ବାଳକ ବିସି ଓ ପ୍ରବୀଣ କୁମାର ପ୍ରଧାନ ଏବଂ ଫ୍ଲାଇଂ ସ୍କ୍ୱାର୍ଡ଼ ଅଧିକାରୀ ଗାଲୁରାମ ସୋରେନ, ରଶ୍ମିରେଖା ପାତ୍ର ପ୍ରମୁଖ ନିମିକି ସଡ଼କର ଶ୍ରୀଜଙ୍ଗ ତାରିଣୀଛକ ନିକଟରେ ସୋମବାର ସକାଳ ୬ଟାରୁ ଜଗି ରହିଥିଲେ । ଅଭିଯୁକ୍ତମାନେ ପ୍ରାୟ ଅଧଘଣ୍ଟାଏ ପରେ ୪ ଗୋଟି ବାଇକରେ ୪ଜଣ ଦେଶୀମଦ ନେଇ ଯାଉଥିବା ବେଳେ ଅବକାରୀ ଟିମ ୩ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଧରପଗଡ଼ ବେଳେ ବାଇକ ଛାଡ଼ି ଜଣେ ପଳାଇ ଯାଇଥିଲା । ଏନେଇ ଏକ ମାମଲା ରୁଜୁ ସହ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।