୬୦ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଟାଟା ଷ୍ଟିଲର ଲୌହ ଓ ମାଙ୍ଗାନିଜ ଖଣି ୨୬ଟି ପୁରସ୍କାରରେ ସମ୍ମାନିତ
ଯୋଡ଼ା, (ସମୀର କୁମାର ଦାସ):ଟାଟା ଷ୍ଟିଲକୁ ଖଣି ସୁରକ୍ଷା ମହାନିର୍ଦ୍ଦେଶଳାୟ, ଚାଇଁବସା କ୍ଷେତ୍ର ତତ୍ତ୍ୱାବଧନାରେ ରବିବାର ଦିନ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ଗୁଆ ମାଇନ୍ସରେ ଆୟୋଜିତ ୬୦ତମ ବାର୍ଷିକ ଧାତବ ଖଣି ସୁରକ୍ଷା ସପ୍ତାହ ପ୍ରତିଯୋଗିତା-୨୦୨୨ରେ ୨୬ଟି ପୁରସ୍କାରରେ ସମ୍ମାନିତ କରାଯାଇଛି ।ଏହି ଅବସରରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ଖଣି କମ୍ପାନୀକୁ ମୋଟ ୧୬୦ଟି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯୋଡ଼ା ପୂର୍ବ ଲୌହ ଖଣିକୁ ସାମଗ୍ରିକ ପ୍ରଦର୍ଶନରେ ଏ-୧ ବର୍ଗରେ ବିଜେତା ଘୋଷଣା କରାଯାଇଥିବାବେଳେ ନୋଆମୁଣ୍ଡି ଲୌହ ଖଣିକୁ ସମାନ ବର୍ଗରେ ରନରଅପ ଘୋଷଣା କରାଯାଇଛି । ଷ୍ଟଲ ପ୍ରଦର୍ଶନୀ ବର୍ଗରେ ଟାଟା ଷ୍ଟିଲ ବିଜେତା ହୋଇଥିବାବେଳେ ପବ୍ଲିସିଟି ଏବଂ ପ୍ରୋପାଗଣ୍ଡାରେ ଯୋଡ଼ା ପୂର୍ବ ଲୌହ ଖଣି ରନରଅପ ହୋଇଛି । ସେହିପରି, ଖଣ୍ଡବନ୍ଧ ଏବଂ କାଟାମାଟି ଲୌହ ଖଣି ୨ଟି ପୁରସ୍କାର ହାସଲ କରିଥିବାବେଳେ ଫେରୋ ଆଲୟେଜ ମିନେରାଲସ ଡିିଭିଜନ୍ (ଏଫ୍ଏଏମ୍ଡ଼ି) ର ଖଣି ୭ଟି ପୁରସ୍କାର ହାସଲ କରିଛି । ଖଣିରେ ସୁରକ୍ଷିତ କାର୍ଯ୍ୟପ୍ରଣାଳୀରେ ଉନ୍ନତି ଆଣିବା, ଖଣିରେ ଦୁର୍ଘଟଣାକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିବା ଏବଂ ଶୂନ୍ୟ କ୍ଷତି ପାଇଁ ଖଣି ମାଲିକ ଓ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଖଣି ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । ଖଣି ସୁରକ୍ଷା ମହାନିର୍ଦ୍ଦେଶଳାୟର ମହାନିର୍ଦ୍ଦେଶକ ପ୍ରଭାତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଚାଇଁବସା କ୍ଷେତ୍ରର ଖଣି ସୁରକ୍ଷା ନିର୍ଦ୍ଦେଶକ ଆଲତାଫ୍ ହୁସେନ୍ ଅନ୍ସାରୀ, ଟାଟା ଷ୍ଟିଲ ରମ୍ୟାଟେରିଆଲ ବିଭାଗ ଭାଇସ ପ୍ରେସିଡେଣ୍ଟ ଡି ବି ସୁନ୍ଦର ରମମ୍, ସେଲର ଗୁଆ ଲୌହ ଖଣିର ମୁଖ୍ୟ ମହା ପ୍ରବନ୍ଧକ (ଖଣି), ବିପିନ କୁମାର ଗିରି, ଜେଜିଓଏମ୍, ବିଏସ୍ଏଲ୍, ସେଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୟଦୀପ ଦାସଗୁପ୍ତା, ସେଲର ରାଉରକେଲା ଇସ୍ପାତ କାରଖାନାର ନିର୍ଦ୍ଦେଶକ ଅତନୁ ଭୌମିକ୍, ସେଲର ବିଏସଏଏଲ ର ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ ଏବଂ ସୀତାରାମପୁର ଇଜେଡ ର ଖଣି ସୁରକ୍ଷା ନିର୍ଦ୍ଦେଶଳାୟର ଉପ ନିର୍ଦ୍ଦେଶକ ଉଜ୍ଜଲ ତାହ ଉପସ୍ଥିତ ଥିଲେ । ଅତିଥିମାନେ ଟାଟା ଷ୍ଟିଲ, ସେଲ, ଜିନ୍ଦଲ ଷ୍ଟିଲ ଏବଂ ପାୱାର, ଓଡ଼ିଶା ଖଣି ନିଗମ ଭଳି କମ୍ପାନୀ ସହିତ ଭେଣ୍ଡର ସହଯୋଗୀଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ଷ୍ଟଲକୁ ପରିଦର୍ଶନ କରିଥିଲେ । ଏହି ଷ୍ଟଲରେ ଶ୍ରେଷ୍ଠ ସୁରକ୍ଷା ପ୍ରଣାଳୀ ଏବଂ ସୁରକ୍ଷା ଉପକରଣ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ ଦଳ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଯୋଡ଼ା ପୂର୍ବ ଲୌହ ଖଣି ମୁଖ୍ୟ ସରୋଜ କୁମାର ବାନାର୍ଜୀ, ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଖଣି ମୁଖ୍ୟ ଜ ଭି ସତ୍ୟନାରାୟଣ, ଟାଟା ଷ୍ଟିଲ ନୋଆମୁଣ୍ଡି ଲୌହ ଖଣି ମୁଖ୍ୟ ଶିରିଶ ଶେଖର, ଟାଟା ଷ୍ଟିଲ ଏଫ୍ଏଏମ୍ଡ଼ି ମୁଖ୍ୟ ଅଶ୍ୱିନୀ କୁମାର, ଖଣି ସୁରକ୍ଷା ମହାନିର୍ଦ୍ଦେଶଳାୟର ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକ, ସୁରକ୍ଷା ବୋର୍ଡ଼ ସଦସ୍ୟ, କର୍ମଚାରୀ ସଂଘ ପ୍ରତିନିଧି, ମହା ପ୍ରବନ୍ଧକ, ଏଜେଣ୍ଟ ଏବଂ ପ୍ରବନ୍ଧକ, ଅଧିକାରୀ, ୱାର୍କମେନ୍ ଇନ୍ସପେକ୍ଟର ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ ।


