୬୦ ବର୍ଷ ଧରି ଭଡା ଘରେ ଭିନ୍ନ ଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇ ଯାଯାବରଙ୍କ ଭଳି ଚାଲିଛି ମୋହନା ଉପଡାକଘର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଅବସ୍ଥିତ ଉପଡାକଘରର ନିଜସ୍ୱ ଗୃହ ନାହିଁ । ୬୦ରୁ ଉର୍ଦ୍ଧ ବର୍ଷ ହେଲା ଉପଡାକଘରଟି ଭଡା ସୂତ୍ରରେ ଚାଲୁ ରହିଛି । ସ୍ଥାୟୀ ଘର ନଥିବାରୁ ବିଭିନ୍ନ ସମୟରେ ଏହା ଭିନ୍ନ ଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହେଉଛି । ଡାକ ବିଭାଗର ପଦସ୍ଥ କର୍ମକର୍ତ୍ତାଙ୍କୁ ସ୍ଥାୟୀ କୋଠାଘର ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ମୋହନା ଉପଡାକଘରଟି ଯାଯାବରଙ୍କ ପରି କେତେବେଳେ କେଉଁ ସ୍ଥାନକୁ ସ୍ଥାନାନ୍ତର ହେଉଛି ତାହା ଜାଣିବା ସାଧାରଣ ପକ୍ଷରେ କଷ୍ଟକର ବ୍ୟାପାର ହେଉଛି । ଯଦ୍ୱାରା ଲୋକେ ଡାକ ସେବାର ସୁଫଳ ଠିକ ଭାବେ ପାଇପାରୁ ନାହାନ୍ତି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରୁ ଦେଢ କିଲୋମିଟର ଦୂରରେ କଣ୍ଟେଇକୋଳି ଗ୍ରାମ ଠାରେ ବର୍ତ୍ତମାନ ଏହି ଡାକ ଘରଟି ଅବସ୍ଥିତ ରହିଛି । ବର୍ତ୍ତମାନ ଡାକଘରଟିରେ ନେଟୱାର୍କ ସଂଯୋଗ ହୋଇନଥିବାରୁ ଅନ୍ଲାଇନ ବ୍ୟବସ୍ଥା ମାଧ୍ୟମରେ ସ୍ପିଡପୋଷ୍ଟ, ରେଜିଷ୍ଟେଡ ପୋଷ୍ଟ, ପୋଷ୍ଟାଲ ଜୀବନବୀମା, ଆର୍ଡି, ସଂଞ୍ଚୟ ଜମା ଖାତାରୁ ଟଙ୍କା ଉଠାଣ ଆଦି କାର୍ଯ୍ୟ ହୋଇପାରୁନାହିଁ । ଯାହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଡାକସେବା ପାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଏଠାରେ ଆପିଓ ମଧ୍ୟ ମିଳୁ ନଥିବା ଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଡାକ ଘରର ନିଜସ୍ୱ କୋଠା ନିର୍ମାଣ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରାନଗଲେ ଆନ୍ଦୋଳନ କରାଯିବ ବୋଲି ସାଧାରଣ ସତର୍କ କରାଇଛନ୍ତି ।


