୬୦ ହଜାର ଚାଷୀଙ୍କ ଧାନ କିଣାଯାଇନାହିଁ, ଜିଲ୍ଲା ପ୍ରଶାସନ ହାତଯୋଡ଼ି ବସିଛି
ଛତ୍ରପୁର : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଧାନର ଅଭାବ ବିକ୍ରୀ ଲାଗିରହିଛି । ଚଳିତ ବର୍ଷ ୧ ଲକ୍ଷ ୩୪ ହଜାର ଚାଷୀଙ୍କ ଧାନ କିଣିବା ପାଇଁ ପଞ୍ଜିକରଣ ହୋଇଥିବାବେଳେ ଆଜି ସୁଦ୍ଧା ୬୦ ହଜାର ଚାଷୀଙ୍କ ଧାନ ଆହୁରି କିଣିବାକୁ ବାକି ରହିଛି । ମାତ୍ର ଆଉ ୧୫ ଦିନରେ ଧାନ କିଣା ବନ୍ଦ ହୋଇଯିବ । ବାକି ରହିଯାଇଥିବା ପଞ୍ଜିକୃତ ଚାଷୀଙ୍କ ଧାନ କେବେ କିଣାଯିବ ବୋଲି ଜିଲ୍ଲାର ଅଗ୍ରଣୀ ଚାଷୀ ସଙ୍ଗଠନ ଋଷିକୂଲ୍ୟା ରୟତ ମହାସଭା, ଧରିତ୍ରୀ କୃଷକ ସଂଘ, ଘୁମୁସର କୃଷକ ସଂଘ, ଚାଷୀ ସଂଗ୍ରାମ ମଂଚ, ବଳଦେବ ସ୍ୱାମୀ କୃଷକ ସଂଘ ଓ କୃଷି ବିକାଶ ସଂଘ ପ୍ରମୁଖ ଚାଷୀ ସଙ୍ଗଠନ ଅଭିଯୋଗ କରିଛନ୍ତି । ୫ ହଜାର ଚାଷୀଙ୍କ ଧାନ ମିଲର ନେଇଥିବାବେଳେ ଚାଷୀ ଟଙ୍କା ପାଇନାହାନ୍ତିି । ଚଳିତ ବର୍ଷ ଟୋକନ ସିଷ୍ଟମରେ ଧାନ କିଣାଯାଉଥିବାରୁ ଚାଷୀମାନେ ଟୋକନ ବିଳମ୍ବରେ ଆସିଥିବାରୁ ପୁଣି ଟୋକନର ୭ ଦିନ ମଧ୍ୟରେ ଅବଧି ସରିଯିବାରୁ ଚାଷୀମାନେ ଧାନ ବିକିବାରେ ନାହିଁ ନଥିବା ହଇରାଣ ହେଉଛନ୍ତି । ପ୍ରତିଦିନ ଶହ ଶହ ଚାଷୀ ସମବାୟ ଓ ଯୋଗାଣ ଅଫିସ ଏବଂ ଜିଲ୍ଲାପାଳ ଅଫିସକୁ ଧାଇଁଲେ ସୁଦ୍ଧା କିଛି ଫଳପ୍ରଦ ହେଉନାହିଁ । ଗତ ଅଦିନିଆ ବର୍ଷା ସମୟରେ ବହୁ ଚାଷୀଙ୍କର ଟୋକନ ଆସିଥିଲା । ମାତ୍ର ମିଲର ଠିକ ସମୟରେ ଧାନ ଉଠାଇନଥିବାରୁ ତାଙ୍କର ଟୋକନର ଅବଧି ସରିଗଲା । ସେତେବେଳକୁ ମିଲରମାନେ ଧାନ ଉଠାଇ ନେଇଗଲେଣି । ଚାଷୀ ସଂଗ୍ରାମ ମଂଚ ବେଗୁନିଆପଡ଼ା ବ୍ଲକର ସଭାପତି ଜୋହନ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବ୍ଲକରେ ୧୧୬୨ ଜଣ ଚାଷୀଙ୍କର ଟୋକନ ଲସ୍ ହୋଇଯାଇଛି । ସେଥିମଧ୍ୟରୁ ପ୍ରାୟ ୪୦୦ ଚାଷୀଙ୍କ ଧାନ ମିଲର ଉଠାଇ ନେଇଛନ୍ତି । ଏବେ ଏକ ମାସ ହେଲାଣି ତାଙ୍କର ଟୋକନ ଆସୁନାହିଁ କି ତାଙ୍କୁ ଧାନର ଟଙ୍କା ମିଳୁନାହିଁ । ଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଡିଆରସିଏସ, ଏଆରସିଏସ ଏବଂ ବିଧାୟକମାନଙ୍କୁ କହିଲେ ମଧ୍ୟ କିଛି ହେଉନାହିଁ । ଏଣୁ ଏନେଇ ଆସନ୍ତା ଦିନରେ ଧାରଣା ଦିଆଯିବ ବୋଲି ଚେତାବନି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପ୍ରଶାସନ ଚାଷୀ ମାନଙ୍କ କଥା ବୁଝୁ ନଥିବାରୁ ସେମାନେ ଯାହାଫଳରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କମ ଦରରେ ଚାଷୀମାନେ ଦଲାଲମାନଙ୍କ ଶିକାର ହୋଇ ଆନ୍ଧ୍ର ବେପାରୀମାନଙ୍କୁ ବିକ୍ରି କରିଦେଉଛନ୍ତି । ଗଞ୍ଜାମ ଜିଲ୍ଲା ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ଏଠାରେ ମୋ ସରକାର ଓ ୫-ଟି କାଟୁ କରୁନାହିଁ ।