୬ ବର୍ଷ ପରେ ବସିଲା ନିର୍ବାଚିତ ପୌର ପରିଷଦର ପ୍ରଥମ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ନିର୍ବାଚିତ ପୌର ପରିଷଦର ପ୍ରଥମ ବୈଠକ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୬ ବର୍ଷ ପରେ ସୋମବାର ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୌରାଞ୍ଚଳର ସଫେଇ କାର୍ଯ୍ୟ କରିବା ପାଇଁ ଠିକା ନେଇଥିବା ସଂସ୍ଥା ଉପରେ କେତେକ ପୌର ସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ସେମାନେ କହିଥିଲେ ଯେଉଁ ହାରରେ ଏହି ସଂସ୍ଥା ଅର୍ଥ ନେଉଛି ସେହି ହାରରେ ସଫେଇ କାର୍ଯ୍ୟ ହେଉନାହିଁ । ବରିଷ୍ଠ ପୌର ସଭ୍ୟ କାଳୀ ପ୍ରସାଦ ମିଶ୍ର କହିଥିଲେ ଏହି ସଂସ୍ଥାର କାର୍ଯ୍ୟ ସମୀକ୍ଷା ହେବା ଉଚିତ । ଏହା ନ ହେଲେ ଟିକସ ଆକାରରେ ଜନତା ଦେଉଥିବା ଅର୍ଥ କେବଳ ସ୍ୱାହା ହେବା ହିଁ ସାର ହେବ । ବୈଠକରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ୧୫୦ ବର୍ଷର ପୌର ପାଳିକା ହୋଇଥିଲେ ମଧ୍ୟ ଏହା ଏକ ଗାଁ ପରି ଦିଶୁଛି ବୋଲି କେତେକ ସଭ୍ୟ ଅଭିଯୋଗ କରିିଥିଲେ । ତେଣୁ ସହରକୁ ସରଷ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ । ସେହିପରି ଯେଉଁ ଠିକାଦାର ମାନଙ୍କୁ ଉନ୍ନୟନମୂଳକ କାର୍ଯ୍ୟର ଠିକା ଦିଆଯାଉଛି ସେମାନେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ଫଳରେ ସେହି କାର୍ଯ୍ୟଗୁଡିକର ସ୍ଥାୟିତ୍ୱ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ପୌର ସଭ୍ୟମାନେ ନିଜ ୱାର୍ଡରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ କିପରି ଚାଲୁଛି ତାହା ତଦାରଖ କରିବେ ବୋଲି ନଗରପାଳ କହିଥିଲେ । ଏହାଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ ଯେଉଁ ଲକ୍ଷ ନେଇ କରାଯାଉଛି ତାହାର ଲକ୍ଷ ପୂରଣ ହୋଇ ପାରିବ । ସେହିପରି ଏବେ ୫ଟି ଛାଟ ବିଭିନ୍ନ କାର୍ଯ୍ୟ ଉପରେ ବାଜୁ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସମସ୍ତେ ଉତ୍ତରଦାୟୀ ରହିବେ । ତେଣୁ ସେଥିପ୍ରତି ଆମେ ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି ନଗରପାଳ କହିଥିଲେ । ପୌର ସଭ୍ୟମାନେ ନିଜ ନିଜ ୱାର୍ଡର ପରିମଳ ଓ ରାସ୍ତା ଘାଟ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିଲେ । ଏହି ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ନଗରପାଳ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୌର ନିର୍ବାହୀ ଅଧିକାରୀ ଦେବପ୍ରସଦ ବଳଙ୍କ ସମେତ ସମସ୍ତ ନବ ନିର୍ବାଚିତ ପୌର ସଭ୍ୟମାନେ ଉପସ୍ଥିତ ଥିଲେ ।