୬ ବାଇକ ଜବତ, ୮ ଜଣ ବାଇକ୍ ଚୋର ଗିରଫ୍
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଟିକିଲିପଡାର ଅନ୍ତର୍ଯ୍ୟାମୀ ସେଠ ଓରଫ ଜପୁନ ଓ ଲବଣୀକାନ୍ତ ଖଡିଆ , କୁଚିଣ୍ଡା ଥାନା ଚନ୍ଦନିମାଲର ନରେନ୍ଦ୍ର ବିନ୍ଧାଣି ଓ ମହୁଲପାଲି ଥାନା ରେଙ୍ଗାଲବେଡାର ଅରବିନ୍ଦ ଡୁଙ୍ଗଡୁଙ୍ଗ ଏବଂ, ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଦୁଧିଆନାଲର ଦେବାଶିଷ କୁଜୁର ଓରଫ ଗୁଡୁ,ରାମପୁରର ସନ୍ଦିପ ଟପ୍ପୋ ଓ ବିଶାଳ କୁମାର ମାଝି ଓରଫ ରକି,ସାଗବାହାଲର ସିଦ୍ଧାନ୍ତ ଲାକ୍ରା ଓରଫ ସିଦ୍ଧୁ।ରୋଷନ ଜୟପୁରିଆ ଙ୍କ ରିପୋର୍ଟ କ୍ରମେ ପୋଲିସ ମହୁଲପାଲି ଥାନାରେ ମାମଲା ରୁଜୁ କରିଥିବା ବେଳେ ଏହି ୮ ଆନ୍ତଃଜିଲ୍ଲା ବାଇକ ଚୋରକୁ ଗିରଫ କରିବା ପରେ ପୂର୍ବରୁ ଲଗାଇଥିବା ଦଫା ସହ ସେମାନଙ୍କୁ ଶନିବାର କୁଚିଣ୍ଡା ଏସଡିଜେଏମ କୋର୍ଟକୁ ଚାଲାଣ କରିଛି।ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।ପୋଲିସ ଅଭିଯୁକ୍ତଙ୍କ ଠାରୁ ୪ଗୋଟି ଏମଟି-୧୫ ୟାମାହା ,ଗୋଟିଏ ଆରଟିଆର-୨୦୦ ଆପାଚି ଓ ଗୋଟିଏ ବାଜାଜ ସିଟି-୧୦୦ବାଇକ ଜବତ କରିଛି।ଏନେଇ ମହୁଲପାଲି ଥାନାରେ ଏକ ଖବରଦାତା ସମ୍ମିଳନୀରେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗରେ ସାମିଲ ଥିବା ଚୋରଙ୍କ ସମ୍ପର୍କରେ ସୂଚନା ଦେଇ ଘଟଣାରେ ଅନ୍ୟ ଜଣେ ଚୋର ଫେରାର ଥିବା କହିଛନ୍ତି।ସୂଚନା ଅନୁଯାୟୀ, ମହୁଲପାଲି ଥାନା ପାଣ୍ଡିଆଢିପା ଗ୍ରାମର ରୋଷନ ଜୟପୁରିଆ ଗତ ୧୩ ତାରିଖ ରାତି ୧୦ଟାରେ ତାଙ୍କର ଏମଟି-୧୫ ୟାମାହା ବାଇକ ନିଜଘର ବାରଣ୍ଡା ରେ ଲକ୍ କରି ରଖିଥିଲେ।୧୪ ତାରିଖ ସକାଳୁ ବାଇକ ନଥିବା ଦେଖି ତାଙ୍କ ମା ତାଙ୍କୁ କହିଥିଲେ।ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବାରେ ବାଇକର କୌଣସି ସୁରାକ ନପାଇ ମହୁଲପାଲି ଥାନାରେ ଲିଖିତ ରିପୋର୍ଟ କରିଥିଲେ।ପୂର୍ବରୁ ଡିପୁପଡା,ଗୋଛରା, କେଶାଇବାହାଲ,କୁସୁମୀ ଅଞ୍ଚଳରୁ ବାଇକ ଚୋରୀ ସମ୍ପର୍କରେ ଥାନାରେ ରିପୋର୍ଟ ହୋଇଥିବା ବେଳେ ଏହି ରିପୋର୍ଟ ପରେ ପୋଲିସ ଏହାକୁ ଅଧିକ ଗୁରୁତ୍ୱ ଦେଇ ତଦନ୍ତ କରିଥିଲା।ଏସଡିପିଓ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କାଙ୍କ ନେତୃତ୍ଵରେ ଏହାର ତଦନ୍ତ ପାଇଁ ଏକ ପୋଲିସ ଟିମ ଗଠନ କରାଯାଇଥିଲା।କୁସୁମୀ ଅଞ୍ଚଳର ଜଣଙ୍କ ଘରେ ଏକ ୟାମାହା ଚୋରୀ ବାଇକ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗଠିତ ପୋଲିସ ଟିମ ଚଢାଉ କରି ରୋଷନଙ୍କ ଚୋରୀ ବାଇକକୁ ଜବତ କରିଥିଲା। ଯାହାଙ୍କ ଘରୁ ବାଇକ ଜବତ ହେଲା ତାଙ୍କ ସୂଚନା ଆଧାରରେ ବାଇକ ଚୋରୀର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଟିକିଲିପଡାର ଅନ୍ତର୍ଯ୍ୟାମୀ ଓ ଲବଣୀକାନ୍ତଙ୍କୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଥିଲା।ପରେ ଉଭୟଙ୍କୁ ଜେରା କରିବାରେ ପୋଲିସ ଅନ୍ୟ ୬ ଆନ୍ତଃଜିଲ୍ଲା ବାଇକ ଚୋରଙ୍କୁ ଗିରଫ କରିଥିଲା।ସୂଚନାଯୋଗ୍ଯ ଯେ, ଅନ୍ତର୍ଯ୍ୟାମୀ ଓ ଲବଣୀକାନ୍ତ ଚୋରୀ ଘଟଣାରେ ଗିରଫ ହୋଇ ଝାରସୁଗୁଡା ଜେଲରେ ଥିଲେ।ଗତ କିଛିଦିନ ପୂର୍ବରୁ ସେମାନେ ଜାମିନରେ ଆସିଥିଲେ। ଏହି ଚଢାଉରେ ମହୁଲପାଲି ଥାନା ଅଧିକାରୀ ଏକ୍କାଙ୍କ ସହ ଏସଆଇ ସୁଜିତ କୁମାର ମାହାନ୍ତ,ଏଏସଆଇ ଅଞ୍ଜନ କୁମାର, ହରେଷ ଚନ୍ଦ୍ର ଗଡନାୟକ ଓ କନଷ୍ଟେବଲ ସୁରେଶ ସାହୁ ସାମିଲ ହୋଇଥିଲେ।