୬ ମାସ କାର୍ଯ୍ୟକାଳ ବାକିଥିବା ପୁଲିସ୍ ଅଧିକାରୀ ହେବେ ଡିଜିପି
ନୂଆଦିଲ୍ଲୀ(ଏଜେନ୍ସି): ଅବସର ପୂର୍ବରୁ ଚାକିରି ଯେଉଁ ଅଧିକାରୀଙ୍କ ଚାକିରି କାଳ ସର୍ବନିମ୍ନ ୬ ମାସ ବାକି ଥିବ, ସେମାନଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ପଦବୀରେ ନିଯୁକ୍ତି ଦିଆଯାଇପାରିବ ବୋଲି ପୁଲିସ୍ ବିଭାଗରେ ସଂସ୍କାର ଆଣିବା ପାଇଁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ପ୍ରକାଶ ସିଂହଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଡିଜିପି ପଦବୀର ଅବଧି ୨ ବର୍ଷ ଥାଏ । କିନ୍ତୁ ଏହି ଅବଧିରେ ଜଣେ ସ୍ୱେଚ୍ଛାକୃତ ଅବସର ନେଇପାରିବ । କୋର୍ଟ ଆହୁରି କହିଛନ୍ତି, ୟୁପିଏସ୍ସି କର୍ତ୍ତୃପକ୍ଷ ଡିଜିପି ନିଯୁକ୍ତି ଦେବା ସମୟରେ ଲକ୍ଷ୍ୟ ରଖିବେ ଯେ ଅବସର ପର୍ଯ୍ୟନ୍ତ ଅତିକମ୍ରେ ୬ ମାସ ଚାକିରି ଅଛି । ଏହି ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଗତ ଫେବ୍ରୁଆରୀ ୨୮ରେ ରାୟ ସଂରକ୍ଷିତ ରଖିଥିଲେ । ଗତବର୍ଷ ମଧ୍ୟ ଏହି ମାମଲାର ଶୁଣାଣି କରି କିଛି ନିର୍ଦ୍ଦେଶ ଦିଆଯାଇଥିଲା । କୋର୍ଟ କହିଥିଲେ, ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତି କରିପାରିବେନାହିଁ । ଏତଦ୍ବ୍ୟତୀତ ଜଣେ ଡିଜିପିଙ୍କ କାର୍ଯ୍ୟ ଅବଧି ସରିବାର ୩ ମାସ ପୂର୍ବରୁ ନୂତନ ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ୟୁପିଏସ୍ସିକୁ ଜଣାଇବେ ।