୬ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କଲେ ମାଓ ସଙ୍ଗଠନ ଶାନ୍ତି ବାର୍ତ୍ତା ପାଇ ଅନୁରୋଧ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ କରେଗୁଟା ପାହାଡରେ ଗତ ୧୭ ଦିନ ଧରି ବଡ ଧରଣର ମାଓ ଦମନ ଅପରେସନ ଜାରି ରହିଥିବା ବେଳେ ଏହା ମାଓବାଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନେକ ମାଓବାଦୀ ଏଥିରେ ନିହତ ହୋଇଥିବା ବେଳେ ଏହି ଅପରେସନ ବର୍ତ୍ତମାନ ମଧ୍ୟ ଜାରି ରହିଛି। ତେବେ ଏହାକୁ ନେଇ ମାଓ ସଙ୍ଗଠନ ବେକଫୁଟରେ ଥିବା ବେଳେ ତେଲେଙ୍ଗାନା ରାଜ୍ୟ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆମେ ଯୁଦ୍ଧ ବିରାମ ଘୋଷଣା କରୁଛୁ ବୋଲି ପ୍ରବକ୍ତା ଜଗନ ପ୍ରକାଶ କରିଛନ୍ତି। ବାରମ୍ବାର ମାଓ ସଙ୍ଗଠନ ପକ୍ଷରୁ ଶାନ୍ତି ବାର୍ତ୍ତା ପାଇଁ ଅନୁରୋଧ କରାଯାଉଥିବା ବେଳେ ଗତ କିଛି ଦିନ ପୂର୍ବେ ତେଲେଙ୍ଗନା ସରକାର ସମେତ ବିଭିନ୍ନ ସଂଗଠନ କଗାର ଅପରେସନକୁ ବନ୍ଦ କରିବା ସହ ତୁରନ୍ତ ଶାନ୍ତିବାର୍ତ୍ତା ପାଇଁ ସ୍ଵର ଉଠାଇଥିଲେ। ଏହି ଦାବିକୁ ମାଓ ସଙ୍ଗଠନ ସମର୍ଥନ କରି ଆସନ୍ତା ୬ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରୁଛୁ ବୋଲି ମାଓନେତା ଜଗନ ପ୍ରେସ ବିବ୍ରୁତିରେ ପ୍ରକାଶ କରିଛନ୍ତି। ତେବେ ତେଲେଙ୍ଗାନା ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ଛତିଶଗଡ଼ ସରକାର କିନ୍ତୁ କୌଣସି ଆଲୋଚନା ପାଇଁ ପ୍ରସ୍ତୁତ ନଥିବା ଜଣା ପଡିଛି। ମାଓ ଦମନ ପାଇଁ ଛତିଶଗଡ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଗତ କିଛିଦିନ ପୂର୍ବେ ଏନେଇ କୁହାଯାଇଥିଲା ଯେ, ମାଓବାଦୀ ମାନେ ଆତ୍ମସମ୍ରପଣ କରିବା ପରେ ସେମାନଙ୍କ କଥା ଶୁଣାଯିବ, ନଚେତ ମାଓ ଦମନ ଅପରେସନ ଜାରି ରହିବ। ତେଲେଙ୍ଗନା ମାଓ କମିଟି ପରି ଛତିଶଗଡର କୋଣ୍ଟା ଏରିଆ ମାଓ କମିଟି ମଧ୍ୟ ଏକ ପ୍ରେସ ବିବ୍ରୁତି ଜାରି କରି ଦୋରନାପାଲ ଠାରେ ନକ୍ସଲ ବିରୋଧୀ ବୈଠକ କରାଯାଉଥିବାରୁ ଏହାକୁ ବିରୋଧ କରି କେହି ଏଥିରେ ଯୋଗ ନଦେବା ପାଇଁ ଆହ୍ବାନ ଦେଇଛି। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ସରକାର ଗରିବ ଓ ନିଷ୍ପେସିତ ଲୋକଙ୍କ ଦୁଖ ବୁଝିବା ସହ ସ୍ବଚ୍ଛ ଶାସନ କରିଲେ ମାଓ ସଙ୍ଗଠନ ଆପେ ଆପେ ହଟିଯିବ।