୬ ଲୋକସଭା ଓ ୪୧ ବିଧାନସଭାରେ ମତଦାନ,୯୫ ଲକ୍ଷ ଭୋଟରଙ୍କ ହାତରେ ପିସିସି ସଭାପତି, ୨ ସାଂସଦ ଓ ୪ ମନ୍ତ୍ରୀଙ୍କ ସମେତ ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ): ରାତି ପାହିଲେ ଚତୁର୍ଥ ଓ ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ୬ଟି ଲୋକସଭା ସମେତ ୪୧ଟି ବିଧାନସଭା ପାଇଁ ଆସନ୍ତାକାଲି ମତଦାନ ହେବ। ଗତକାଲି ସନ୍ଧ୍ୟା ୬ଟାରୁ ପ୍ରଚାର ସରିବା ପରେ ନିରବ ଅବଧି ଲାଗୁ ହୋଇଛି। ଏହି ସମୟ ଭିତରେ କୌଣସି ବି ରାଜନେତା ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳରେ ପ୍ରଚାର କାର୍ଯ୍ୟ କରିପାରିବେନି କି ରାଜ୍ୟସ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମରେ ନିଜର ବିବୃତି ପ୍ରଚାର ଓ ପ୍ରସାର ନ କରିବାକୁ ନିର୍ବାଚନ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ପାଇଁ ଲଢୁଥିବା ୫୨ ଜଣ ଓ ବିଧାନସଭା ଲାଗି ପ୍ରତିଦ୍ବନ୍ଦ୍ବିତା କରୁଥିବା ୩୩୬ ଜଣ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩୮୮ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଲେଖିବେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର। ୧୦ ହଜାର ୭୯୨ ବୁଥରେ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ବ ରଖୁଛି। ଏଥିରେ ଅନେକ ହେଭିଓ୍ୱେଟଙ୍କ ମଧ୍ୟରେ ଲଢେଇ ହେଉଛି। ସବୁଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡା ଲୋକସଭା ଆସନ। ବିଜେପି ପାଇଁ ଏହା ସମ୍ମାନ ପ୍ରଶ୍ନ ହୋଇଥିବା ବେଳେ ସ୍ବାଭିମାନର ସହ ଲଢେଇ କରୁଛି ବିଜେଡି। ଏହି ଲୋକସଭା ଅଧିନରେ ଥିବା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଏଠାରେ ହିଁ ନିର୍ଣ୍ଣୟ ହେବ ତାଙ୍କ ରାଜନୈତିକ ଭବିଷ୍ୟତ । ଆଉ ଏହି ଜିଲ୍ଲାର ଭୋଟର ରାଜ୍ୟସଭା ସାଂସଦ ପ୍ରତାପ ଦେବ, ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ବି ନିଷ୍ପତ୍ତି ନେବେ।
ଏମାନଙ୍କ ବ୍ୟତୀତ ମନ୍ତ୍ରୀ ପ୍ରତାପ ଜେନା, ଅନନ୍ତ ଦାସ ଓ ପ୍ରଫୁଲ୍ଲ ସାମଲଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିଧାନସଭାରେ ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକଙ୍କ ଭଳି ୩୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନେତାଙ୍କ ଉପରେ ଭୋଟ ହେବ।ଚତୁର୍ଥ ପର୍ଯ୍ୟାୟରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ମୋଟ ଭୋଟରଙ୍କ ଭିତରୁ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ଭୋଟର ଥିବାବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣ ମହିଳା ଭୋଟର ଓ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।
ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ହେଉଛି। ମୟୁରଭଞ୍ଜ (ଏସଟି) ଲୋକସଭା ଆସନ ସମେତ ଯଶୀପୁର (ଏସଟି), ସାରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଦଳା (ଏସଟି), ବାରିପଦା (ଏସଟି) ଓ ମୋରଡ଼ା ବିଧାନସଭା ପାଇଁ ହେବ ନିର୍ବାଚନ। ସେହିଭଳି ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ସାହି (ଏସସି), ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା (ଏସସି) ଓ ନୀଳଗିରି ବିଧାନସଭା ସମେତ ଭଦ୍ରକ ଲୋକସଭା ଅଧୀନରେ ଥିବା ସୋର (ଏସସି), ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର (ଏସସି) ଓ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟିଂ ହେବ। ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର (ଏସସି), ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା ସମେତ ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡ଼ା (ଏସସି), ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର। ଜଗତସିଂହପୁର ଲୋକସଭା ଆସନ ଅଧୀନରେ ଆସୁଥିବା ପାରାଦୀପ, ତିର୍ତ୍ତୋଲ (ଏସସି), ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର (ଏସସି) ଓ ନିମାପଡ଼ା ବିଧାନସଭା ଆସନରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ଗୁରୁତ୍ବପୂର୍ଣ୍ଣ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରହିଛି। ନିର୍ବାଚନ କମିସନଙ୍କ ସାନି ବିଜ୍ଞପ୍ତି ପରେ ଏଠାରେ ଆସନ୍ତା ମାସ ୧୯ ତାରିଖରେ ମତଦାନ ହେବ। କିନ୍ତୁ ୨୯ ତାରିଖରେ ପାଟକୁରାର ଭୋଟର କେବଳ ଲୋକସଭା ନିର୍ବାଚନ ପାଇଁ ମତାଧିକାର ସାବ୍ୟସ୍ତ କରିବେ।


