୬ ସଂସଦୀୟ କମିଟି ପାଇଁ ଓଡ଼ିଶାର ସାଂସଦ ସଦସ୍ୟ ମନୋନୀତ
ନୂଆଦିଲ୍ଲୀ : ଲୋକସଭା ସଚିବାଳୟର ପ୍ରକାଶିତ ବୁଲେଟିନ୍ ଅନୁସାରେ ୬ଟି ବିଭିନ୍ନ ସଂସଦୀୟ କମିଟିରେ ଓଡ଼ିଶା ସାଂସଦମାନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ବିନୋଦ କୁମାର ସୋନକାରଙ୍କ ଅଧ୍ୟକ୍ଷତାରେ ଗଠିତ ୧୮ ଜଣିଆ ଏଥିକ୍ସ କମିଟି ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି । ସୁନିଲ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ପ୍ରିଭିଲେଜ୍ କମିଟିରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି । ଡକ୍ଟର ହିନା ବିଜୟକୁମାର ଗାଭିଟଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ ଜଣିଆ ମହିଳା ସଶକ୍ତୀକରଣ କମିଟିରେ ଓଡ଼ିଶାର ଦୁଇ ମହିଳା ସାଂସଦ ସ୍ଥାନ ପାଇଛନ୍ତି । ସ୍ଥାନ ପାଇଥିବା ଦୁଇ ମହିଳା ସାଂସଦ ହେଲେ ବିଜେଡିର ରାଜ୍ୟସଭା ସାଂସଦ ସରାଜିନୀ ହେମ୍ବ୍ରମ୍ ଓ ବିଜେପି ସାଂସଦ ସଙ୍ଗିତା କୁମାରୀ ସିଂହଦେଓ । ରାଜେନ୍ଦ୍ର ଅଗ୍ରୱାଲ୍ଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ଗଭର୍ଣ୍ଣମେଣ୍ଟ ଆସୁରେନ୍ସେସ୍ କମିଟିରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ସଦସ୍ୟ ରୂପେ ମନୋନୀତ ହାଇଛନ୍ତି । ଶ୍ୟାମସିଂହ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ପେପର୍ ଲେଡ୍ ଅନ ଦ ଟେବୁଲ୍ କମିଟିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି । ରଘୁରାମ କୃଷ୍ଣରାଜୁ କାନୁମୁରୁଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ସବ୍ ଅଡିନେଟ୍ ଲେଜିସଲେସନ୍ କମିଟିରେ ସଦସ୍ୟ ରୂପେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ ପୂଜାରୀ ମନୋନୀତ ହାଇଛନ୍ତି ।