୭ମାସ ପରେ ଖୋଲିଲା ଆହାର କେନ୍ଦ୍ର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ସାତମାସ ବ୍ୟବଧାନ ପରେ ସୋମବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ସହରରେ ଥିବା ଆହାର କେନ୍ଦ୍ର ଖୋଲିଥିବା ଦେଖିବାକୁ ମିଳିଛି । ଗରିବ ଲୋକଙ୍କ ପାଇଁ ମାତ୍ର ପାଞ୍ଚ ଟଙ୍କାରେ ପେଟପୁରା ଭାତ ଡାଲମା ବ୍ୟବସ୍ଥା ରାଜ୍ୟ ସରକାର କରିଥିବା ବେଳେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସ ମଧ୍ୟ ଭାଗରୁ କଟକଣା ଲାଗୁ ହେବା ଫଳରେ ସ୍ଥାନୀୟ ଆହାର କେନ୍ଦ୍ରରେ ତାଲା ଝୁଲୁଥିଲା । ସ୍ଥାନୀୟ ଅଞ୍ଚଳର ଗରିବ ଅସହାୟ ଦିନ ମଜୁରିଆ ଲୋକ ଏହି ଖାଦ୍ୟରୁ ବଞ୍ଚିତ ହେଉଥିଲେ । ହେଲେ ସ୍ଥାନୀୟ ଆହାର କେନ୍ଦ୍ର ଖୋଲିବା ପରେ ସାଧାରଣ ଗରିବ ଲୋକଙ୍କ ମୁହଁରେ ଖୁସି ଦେଖାଦେଇଛି । ଆହାର କେନ୍ଦ୍ର ଖୋଲିବା ଖବର ଶୁଣି ଗରିବ ଅସହାୟ ଦିନମଜୁରିଆମାନେ ଆହାର କେନ୍ଦ୍ରକୁ ଆସି ପାଞ୍ଚ ଟଙ୍କା ଦେଇ ପେଟପୁରା ଖାଇଛନ୍ତି। ପ୍ରତ୍ୟେକ ଦିନ ତିନି ଶହ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିବା ବେଳେ ଆଜି ଶହେ ଜଣଙ୍କ ପାଇଁ ଖାଦ୍ୟ ଆସିଥିଲା। ଆହାର କେନ୍ଦ୍ର ଖୋଲିବା ପରେ ସ୍ଥାନୀୟ ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହି ତଦାରଖ କରିଥିଲେ।


