୭ରେ ଜିଲା ଶ୍ରମ କାର୍ଯ୍ୟାଳୟ ଘେରିବ ମିଳିତ ଶ୍ରମିକ ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନ କ୍ରମେ ଜିଲାର ନିର୍ମାଣ ଶ୍ରମିକମାନେ ଆସନ୍ତା ୭ ତାରିଖ ଶ୍ରମ ଅଫିସ ଘେରାଉ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ବୈଠକରେ ପୂର୍ବତନ ବିଧାୟକ ତଥା ଶ୍ରମିକନେତା ପ୍ରଦୀପ୍ତ ପଣ୍ଡା ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କ ଦାବି ଓ ପ୍ରସ୍ତାବିତ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ । ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତିର ଆବାହକ ବିଜୟ ପାତ୍ରଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପରିଡ଼ା, ସଞ୍ଜୟ କୁମାର ପାଣିଗ୍ରାହୀ, ପିତାମ୍ବର ମାଝୀ, ଶଶିକାନ୍ତ ବେହେରା, ବିକାଶ କୁମାର ଦାସ, ଗୋପାଳକୃଷ୍ଣ ନାୟକ, ହରିଶ୍ଚନ୍ଦ୍ର ପାତ୍ର, ସଞ୍ଜୟ କୁମାର ସାମଲ ଓ ଗଦାଧର ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଜିଲା ଶ୍ରମ କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଷଲ । ବିଶେଷ କରି ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସହାୟତା ଅର୍ଥ ପ୍ରଦାନରେ ଶ୍ରମ କାର୍ଯ୍ୟାଳୟର ଚରମ ଅବହେଳାକୁ ଏହି ବୈଠକରେ ନିନ୍ଦା କରାଯାଇଛି । ଅନ୍ଲାଇନ୍ର ଜଟିଳ ପ୍ରକ୍ରିୟାରେ ପଞ୍ଜୀକରଣ, ନବୀକରଣ ଓ ସହାୟତା ପାଇଁ ଆବେଦନକୁ ସାଧାରଣ ଶ୍ରମିକମାନେ ଗ୍ରହଣ କରିପାରୁ ନାହାନ୍ତି । ଏହାକୁ ସରଳୀକରଣ ପାଇଁ ଦାବି କରାଯାଇଛି । ଶ୍ରମ ଦପ୍ତରର ତ୍ରୁଟିପାଇଁ ପ୍ରାୟ ଦଶହଜାରରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଅଦ୍ୟାବଧି ସେମାନଙ୍କ ସହାୟତା ଅର୍ଥ ପାଇପାରିନାହାନ୍ତି । ଶ୍ରମିକମାନେ ଆବେଦନ କଲେ ମଧ୍ୟ ଏହି ଅର୍ଥ ଦୀର୍ଘ ୨ବର୍ଷ ଧରି ସେମାନଙ୍କୁ ପ୍ରଦାନ କରାଯାଉନାହିଁ । ଶ୍ରମ ଅଫିସ୍ରେ ବ୍ୟାପକ ହେରଫେର ହେଉଥିବାର ବହୁ ଶ୍ରମିକନେତା ଅଭିଯୋଗ କରିଥିଲେ । ଏନେଇ ଆସନ୍ତା ୭ ତାରିଖ ବୁଧବାର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ୧୦ଟାବେଳେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲା ଶ୍ରମଦପ୍ତର ସମ୍ମୁଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ । ଜିଲା ଶ୍ରମ ଅଫିସରଙ୍କ ଜରିଆରେ ଶ୍ରମ କମିଶନଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଜିଲାର ନିର୍ମାଣ ଶ୍ରମିକମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି । ଶେଷରେ ବେଣୁଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।