୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅଗମ୍ୟ ଆଦିବାସୀ ପଲ୍ଲୀରୁ ସ୍ୱଚ୍ଛ-ସବୁଜ ଭାରତ ନିର୍ମାଣର ସନ୍ଦେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶ ପାଳୁଛି ୭୬ତମ ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଉତ୍ସବ ମୁଖର । ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଏକ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀର ବିଦ୍ୟାର୍ଥୀ ମାନେ ଏକତ୍ରିତ ହୋଇ ନିଜ ହାତରେ ଗଛପତ୍ରରେ ପ୍ରସ୍ତୁତ କରିଥିବା ସବୁଜ ପୋଷାକ ପରିଧାନ କରି, ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି…. ଜୟ, ଜାତୀୟ ପତାକା କି…. ଜୟ, ସ୍ୱାଧୀନ ଭାରତ କି….. ଜୟର ନାରା ଦେଇଥିଲେ । ଦେଶକୁ ସ୍ୱଚ୍ଛ ଓ ସବୁଜ ରୂପେ ଗଢି ତୋଳିବା ପାଇଁ ବିଦ୍ୟାର୍ଥୀମାନେ ସଂକଳ୍ପ ନେବା ସହ ଗ୍ରାମବାସୀଙ୍କୁ ସ୍ୱଚ୍ଛ ଓ ସବୁଜ ଭାରତ ନିର୍ମାଣର ସନ୍ଦେଶ ଦେଇଥିଲେ । ସାମାଜିକ ଅନୁଷ୍ଠାନ ‘ବୁଲସ୍ଆଇ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶକର୍ମୀ ସୁଶାନ୍ତ ସାହୁ ଯୋଗ ଦେଇ କହିଥିଲେ, ଦେଶକୁ ସ୍ୱଚ୍ଛ ଓ ସବୁଜ ପଥରେ ଆଗେଇ ନେବା ପାଇଁ ତଥା ଦେଶବାସୀଙ୍କ ସାମୁହିକ ଉନ୍ନତି ପାଇଁ ଆଉ ଏକ ସତ୍ୟାଗ୍ରହର ଆବଶ୍ୟକତା ରହିଛି ଯାହା ହେଉଛି ସ୍ୱଚ୍ଛ ଓ ସବୁଜ ସତ୍ୟାଗ୍ରହ । କାର୍ଯ୍ୟକ୍ରମରେ ‘ବୁଲସ୍ଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗଦେଇ ସ୍ୱଚ୍ଛ-ସବୁଜ ଭାରତ ନିର୍ମାଣ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।