୭୮ ବର୍ଷରେ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା

ଯାତ୍ରା ଅବସରରେ ଏହାର କିଛି ଅନାଲୋଚିତ ସତ୍ୟତା

ମହର୍ଷି ମନୁଙ୍କ ବିରଚିତ ମହାଗ୍ରନ୍ଥ ‘ ମନୁଷ୍ମୃତି’ ଉତ୍କୃଷ୍ଟ କଳାର ଦେଶ ଉତ୍କଳର ଭୂୟସୀ ପ୍ରଶଂସା କରି ଉଦ୍ଧାମ କଣ୍ଠରେ କହେ – ‘ବର୍ଷାଣାଂ ଭାରତ ବର୍ଷ ଦେଶାରାଂ ଉତ୍କଳ ଖ୍ୟାତ, ଉତ୍କଳସ୍ୟ ସମଦେଶ, ଦେଶନାସ୍ତି ଧରାତଳେ’ । ଯର୍ଥାଥରେ ଭାରତ ବର୍ଷର ଅନ୍ୟାନ ପ୍ରଦେଶ ମାନଙ୍କ ତୁଳନାରେ ଉତ୍କଳର ପ୍ରସିଦ୍ଧ ଅନନ୍ୟ ଓ ସ୍ୱତନ୍ତ୍ର । କେଉଁଠି ଏହାର ଦିଗନ୍ତ ବିସ୍ତାର ସମୁଦ୍ର ବକ୍ଷର ନୀଳ ଜଳ ରାଶି ତ କେଉଁଠି ଘଂଚ ସବୁଜ ବନାନୀର ମନଲୋଭା ନେଅସର୍ଗୀକ ସୌନ୍ଦର୍ଯ୍ୟ । କେଉଁଠି କୂଳ ନାଦୀନି ତଟନୀର ଅପୁର୍ବ ରାଗିଣୀ ତ କେଉଁଠି ନିର୍ଜୀବ ଶିଳାବୁକୁରେ କୁଶଳୀ ଶିଳ୍ପର ନିହାଣ ମୁନରେ ଖୋଦିତ ଲାସ୍ୟମହୀ, ହାସ୍ୟମହୀ ନର୍ତକୀର ଜୀବନ୍ତ ଚାହାଣୀ । ଯୁଗ ଯୁଗ ଧରି ଦର୍ଶକର ଚିତକୁ କରିଛି ସମ୍ମୋହିତ । ବିଦେଶୀ ପର୍ଯ୍ୟଟକ ମାନଙ୍କୁ ସ୍ୱୀୟ ସୌନ୍ଦର୍ଯ୍ୟର ମାଦକତାରେ କରିଛି ଆକୃଷ୍ଟ । ପୁଣି ଦେଇଛି ଆଦିତ୍ୟ ।
ମନ୍ଦିର ମାଳିନୀ ଉତ୍କଳର ପଥର କଥା କହେ । ମନ୍ଦିର ଗର୍ତରେ ପ୍ରସ୍ପୁଟିତ ଶିଳା – ପଦ୍ମର ପ୍ରତିଟି ପାଖୁଡ଼ାରେ ଭିନ୍ନ ଭିନ୍ନ ମହକ । କେଉଁଠି ପୌରାଣିକ କଥାବସ୍ତୁର ସୁଗନ୍ଧରେ ସୁଗନ୍ଧିତ ହେଲାବେଳେ , କେଉଁଠୀ ଐତିହାସିକ ସତ୍ୟତାର ସୁରଭିରେ ସୁରଭିତ । ଆଉ କେଉଁଠି ଇଷ୍ଟଦେବୀଙ୍କ ସ୍ୱୀୟ ଆଲୋକିକ ମହିମାର ସୁବାଷ ଭକ୍ତ ଜନ ମନରେ ଭରି ଦେଇଛି ଅଜସ୍ର ବିଶ୍ୱାସ । ଯେଉଁ ବିଶ୍ୱାସକୁ ନେଇ ଗଢି ଉଠିଛି ଭବ୍ୟ ମନ୍ଦିର । ବର୍ଷ ବର୍ଷ ଧରି ପ୍ରଦର୍ଶିତ ହୋଇ ଆସୁଛି ଆଡ଼ମ୍ବର ପୁର୍ଣ୍ଣ ମାତ୍ରାର ମହାର୍ଘ୍ୟ ବଜାର । ଷୋଡ଼ଶ ଉପଚାରରେ ପୂଜିତ ଶ୍ରୀ ବିଗ୍ରହଙ୍କ ଭୋଗ ଲାଗି ବ୍ୟବସ୍ଥା ହୋଇଛି ସୁମିଷ୍ଟ ବ୍ୟଞ୍ଜନର ଅପୁର୍ବ ସମ୍ଭାର । ଏମିତି ସ୍ୱୀୟ ମହିମାରେ ମହିମା ପଣ୍ଡିତ ତଥା ହିଞ୍ଜିଳିକାଟୁର ରାଜବାଟୀରେ ପୂଜିତ ବିଗ୍ରହ ହେଲେ ଶ୍ରୀ ଲକ୍ଷ୍ମୀ ନୃସିଂହ । ଆସନ୍ତୁ ଜାଣିବା ଏହି ପୀଠର ମହତ୍ମା ମୂଳରେ ରହିଥିବା କିଛି ଅନାଲୋଚିତ ଗୋପନ ସତ୍ୟର ଅନୁଭବ ଓ ବିଶ୍ୱାସର ଶ୍ରଦ୍ଧେୟ ଦଲିଲକୁ ।
ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ, ମୂଳ ଆସ୍ଥାନ ଓ ମୂଳ ସେବୀକା

କାଟୁ ରାଜା ସାହେବ ଲଲିତ କିଶୋର ଭଞ୍ଜଦେଓ,

ଆମ ହିନ୍ଦୁ ଧର୍ମରେ ଶିବ ଲିଙ୍ଗକୁ ଜ୍ୟୋତିସ୍ୱରୁପ ପରଆତ୍ମାଙ୍କ ପ୍ରତୀକ ରୂପେ ମାନ୍ୟତା ଦିଆଯାଏ । ଠିକ୍ ଅନୁରୂପ ଭାବରେ ଶାଳଗ୍ରାମକୁ ଶ୍ରୀ ବିଷ୍ଣୁଙ୍କ ପ୍ରତୀକ ରୂପେ ମାନ୍ୟତା ଦିଆଯାଏ । କାଟୁ ରାଜବାଟି ସ୍ଥିତ ପୂଜିତ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ ବା ରୂପ ମଧ୍ୟ ଏକ ଗୋଲାକାର ମସୃଣ ଶିଳାଖଣ୍ଡ ବା ଶାଳଗ୍ରାମ । ଭାରତ ସ୍ୱାଧିନତାର ପ୍ରାୟ ଏକ ଦଶନ୍ଧି ପୂର୍ବର କଥା । କାଟୁ ଗ୍ରାମ ଠାରୁ ମାତ୍ର ତିନି କିଲୋମିଟର ଦୂର ଏବଂ ହିଞ୍ଜିଳି ଗ୍ରାମ ଅତି ନିକଟରେ ଥାଏ ଏକ ଛୋଟିଆ ଗ୍ରାମ । ନାଁ ତାର ନୂଆଁପଲ୍ଲୀ । ଏଠାରେ ଏକାକୀ ରହୁଥାନ୍ତି ବିଧବା ବୃଦ୍ଧା ବ୍ରାହ୍ମଣୀ ଜଣେ । ସେ ଭାରି ଧର୍ମ ପରାୟଣା ଓ ଭକ୍ତ ପରାୟଣା । ନିଜ ଠାକୁର ଘରେ ଏକ ଖଟୁଳିରେ ଶାଳଗ୍ରାମକୁ ସ୍ଥାନିତ କରାଇ ତାକୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଜୀବନ୍ତ ବିଗ୍ରହ ଭାବେ ବିଶ୍ୱାସ କରୁଥାନ୍ତି । ତେଣୁ ସେ ପ୍ରତିଦିନ ପୂଜାର୍ଚ୍ଚନା ସହ ମଧ୍ୟାନ୍ନରେ ଅନ୍ନଭୋଗ ଲାଗି କରିଥାନ୍ତି । କିନ୍ତୁ ଦାରିଦ୍ରତା କାରଣରୁ ଅନ୍ନ ସଂଗ୍ରହ ପାଇଁ ତାଙ୍କୁ ଭିକ୍ଷା କରିବାକୁ ପଡ଼ିଥାଏ । ଭିକ୍ଷା ସଂଗ୍ରହ ପାଇଁ ବିଶେଷ କରି ସେ ହିଞ୍ଜିଳି ଅତିକ୍ରମ କରି କାଟୁ ଗ୍ରାମକୁ ଆସନ୍ତି । ସେତେବେଳ କାଟୁ ଗ୍ରାମର କଳେବର ଥିଲା ଅତିକ୍ଷୁଦ୍ର ।ଏହା କେବଳ ୫ ଗୋଟି ସାହି ମଧ୍ୟରେ ସୀମିତ ଥିଲା । ସେଥି ମଧ୍ୟରୁ ୩ଟି ସାହି ଥିଲା ଶାକାହାରର ରଙ୍ଗଣି ସମାଜର ସାହି ଓ ଅବଶିଷ୍ଟ ୨ଟି ସାହି ଥିଲା କୈବର୍ତ ସମାଜର । ରଙ୍ଗଣି ସାହି କହିଲେ ବଡ଼ ରଙ୍ଗଣି ସାହି, ରଜା ସାହି ଓ ଥାନା ସାହିକୁ ବୁଝାଉଥିଲା । ପରବର୍ତୀ କାଳରେ ଦେଓଘର ସାହି ମଧ୍ୟ ରଙ୍ଗଣି ସାହିର ଅର୍ନ୍ତଭୁକ୍ତ ହେଲା । ବୃଦ୍ଧା ବ୍ରାହ୍ମଣୀ ବିଷ୍ଣୁ ଉପାସିକା ଥିବା ହେତୁ ବୈଷ୍ଣବୀଙ୍କ ପରି ଅତି ସ୍ୱାତିକ ଜୀବନ ଯାପନ କରୁଥିଲା । ରଙ୍ଗଣି ମାନେ ମଧ୍ୟ ଖାଦ୍ୟ ପାନୀୟରେ ସ୍ୱାତିକତା ସହ ବିଷ୍ଣୁ ଭକ୍ତ ଥିଲେ । ପ୍ରତିଦିନ ସନ୍ଧ୍ୟାରେ ନିଜ କୌଳିକ ବୃତି (ଲଗାବୁଣା)ରୁ ଅବସର ନେଇ ହରିନାମ ସଂକୀର୍ତନ ଓ ଭକ୍ତି ଭାବନାରେ ବୁଡ଼ି ରହୁଥିଲେ । ଫଳରେ ରଙ୍ଗଣି ମାନଙ୍କର ଏତାଦୃଶ ଜୀବନଧାରା ବୁଦ୍ଧା ବ୍ରାହ୍ମଣୀ ମନରେ ଏକ ଧାର୍ମୀକ ଆକର୍ଶଣ ସଂପୃକ୍ତ ଜାତିପ୍ରତି ସୃଷ୍ଟି ହୋଇଥିଲା । ତେଣୁ ସେ ବହୁ ସମୟରେ ରଙ୍ଗଣି ସାହି ପରିକ୍ରମା କରି ସେମାନଙ୍କ ଠାରୁ ପଇସା, ଚାଉଳ, ପରିବା ଆଦି ଯାହା ବି ପାଉଥିଲା ଦ୍ୱିଧାହୀନ ଭାବେ ଶ୍ରଦ୍ଧାର ସହ ସ୍ୱୀକାର କରୁଥିଲା । ଅତଏବ ସଂକ୍ଷେପରେ ଏହା କୁହାଯାଇପାରେ ଯେ, ଶ୍ରୀ ଏକ୍ଷ୍ମୀ ନୃସିଂହଙ୍କ ମୂଳ ସ୍ୱରୁପ- ଶାଳଗ୍ରାମ । ମୂଳ ଆସ୍ଥାନ ନୂଆଁପଲ୍ଲୀ ଗ୍ରାମ ଏବଂ ମୂଳ ସେବୀକା ସେହି ବୃଦ୍ଧା ବିଧବା ବ୍ରାହ୍ମଣୀ ।
ଶାଳଗ୍ରାମ ରୂପି ନୃସିଂହ ଠାକୁରଙ୍କ କାଟୁ ଆଗମନର କାହାଣୀ


ଆମ ଜନ ଜୀବନରେ ଏମିତି କିଛି ଆଲୋକିକ ଘଟଣା ବେଳେ ବେଳେ ଘଟିଥାଏ ଯାହା ଆମ ଭକ୍ତି ଭାବନାକୁ କରେ ଦୃଢିଭୁତ । ଧାର୍ମିକ ବିଶ୍ୱାସକୁ ଦିଏ ସତ୍ୟତାର ରୂପ । ଏହି ପରିପ୍ରେକ୍ଷୀରେ ୧୯୪୨ ମସିହାରେ ସଂଘଠିତ ଏକ ଆଲୋକିକ ଘଟଣାର ଅବତାରଣା କରାଯାଇପାରେ । ପରାଧିନ ଭାରତର ଚିତ୍ର ଥିଲା ଦୁଃଖ ଦୈନ୍ୟ ନିପୀଡ଼ିତା ଏକ ସର୍ବହରାର ଦୃଶ୍ୟ । ଏଠାରେ ନା ଥିଲା ଚିକିତ୍ସା ବ୍ୟବସ୍ଥ୍ୟ ନା ଥିଲା ଗମନାଗମନର ବ୍ୟବସ୍ତଶ ନା ତିଲା ଶିକ୍ଷାର ପ୍ରସାର । ଫଳରେ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବାଟ ପାଉନଥିବା ଦୁଃଖ ମଣିଷଟିଏ । ସେହି ମଣିଷ ପାଇଁ ଇଶ୍ୱର ହିଁ ଥିଲେ ଏକମାତ୍ର ଭରସା । ଏହି ଭରସା ହିଁ ତାଙ୍କୁ ଯୋଗାଉଥିଲା ବଂଚିବାର ପ୍ରେରଣା । ଜୀବନ – ମୃତ୍ୟୁର ବନ୍ଧୁର ପଥରେ ଚାଲି ଚାଲି ହାରି ଯାଇଥିଲା ହିଞ୍ଜିଳି । ପାଳିଜ୍ଜର (ମ୍ୟାଲେରିଆ)ରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁର ଶିକାର ହୋଇଥିଲେ । ଏହାର ଭୟଙ୍କର ରୂପ ମନ ପରଦାରୁ ଲିଭି ନାହିଁ । ପୁଣି ପ୍ରବେଶ କଲା ମହାମାରୀ ହଇଜା ନିକଟସ୍ଥ କାଟୁ ଗ୍ରାମରେ । ଦେଖୁ ଦେଖୁ ଦୁଇଟା ଦିନରେ ଚାଲିଗରେ ୫/୬ ଜଣ ଆରପାରିକୁ । ସମସ୍ତଙ୍କ ମନରେ ଭୟ ଓ ଭାଲେଣି । ଗାଁ ଦାଣ୍ଡ ଶୂନ୍‌ଶାନ । ଘରେ ଘରେ ତାଟି କବାଟ । ଏମିତି ସମୟରେ ଉପସ୍ଥିତ ହେଲେ ଶାଳଗ୍ରାମ ରୂପି ଲକ୍ଷ୍ମୀ ନୃସିଂହଙ୍କ ପରମ ସେବୀକା ସେହି ବିଧବା ବୃଦ୍ଧା ବ୍ରାହ୍ମଣୀ । ସେ ଗାଁ ଲୋକଙ୍କୁ ଆଶ୍ୱସନା ଦେଲେ । ଅଭୟ ବାଣୀ ଶୁଣାଇ କହିଲେ – ଆରେ ତମେ ସବୁ ଏ ଛାର କଥାଟାକୁ ଡ଼ରୁଛ କାହିଁକି । ମୋ ପାଖରେ ଯେଉଁ ଜୀବନ୍ତ ଠାକୁର ଅଛନ୍ତି, ତମେ ଯଦି ତାଙ୍କୁ ଶ୍ରଦ୍ଧା ଭକ୍ତିରେ ଆଣି ଗାଁ ଦାଣ୍ଡ ପରିକ୍ରମା କରାଇବ ନା ରୋଗ ବ୍ୟାଧି, ନା ଭୂତ ପ୍ରେତ, ଗ୍ରହ ବିପାକ ସବୁ କ୍ଷଣିକରେ ଦୂରେଇଯିବ । ଧନ ଧ୍ୟାନ ସବୁଥିରେ ତମର କଲ୍ୟାଣ ହେବ ।ଏହା ଶୁଣି ଲୋକଙ୍କ ମନରେ ଆଶାର ସଂଚାର ହେଲା । ଆସନ୍ନ ମୃତ୍ୟୁ ପରି ବିପଦରୁ ରକ୍ଷା ପାଇବାର ସହଜ ଉପାୟ ମିଳିଗଲା । ଏହାପରେ ରଙ୍ଗଣି ସାହି ଲୋକେ ଏକତ୍ର ହୋଇ ସଂକୀର୍ତନ କରି ଯଥାବିଧି ଭକ୍ତି ସହକାରେ ନୂଆଁପଲ୍ଲୀ ଗ୍ରାମରୁ ଠାକୁରଙ୍କୁ ଆଣି ନିଜ ଗ୍ରାମରେ ଆଣି ବିଜେ କରାଇଲେ । ସତକୁ ସତ ଗ୍ରାମ ପରିକ୍ରମା କରାନ୍ତେ ଆଊ କେହି ଶ୍ମଶାନକୁ କେହି ମହାମାରୀରେ ଆକ୍ରାନ୍ତ ହୋଇ ଯିବାର ଦେଖାଗଲା ନାହିଁ । ପ୍ରାଣନାଶକ ମହାମାରୀ ଅଚିରେ ଦୂର ହୋଇଗଲା । ଫଳରେ ଗ୍ରାମବାସୀଙ୍କ ମନରେ ବିଶ୍ୱାସ ଦୃଢିଭୂତ ହେଲା । ଏହି ଶାଳଗ୍ରାମର ମହିମାରେ ବିମୋହିତ ହୋଇ ଗ୍ରାମବାସୀଙ୍କ ମନରେ ସ୍ୱାଥଁ ଭାବନା ସଂଚାର ହେଲା । ଗ୍ରାମର ମଙ୍ଗଳ ପାଇଁ ବୃଦ୍ଧା ବ୍ରାହ୍ମଣୀଙ୍କୁ ଶାଳଗ୍ରାମଟିକୁ ନଫେରାଇ ରଖିଦେବାର ଲୋଭ ସମ୍ବରଣ କରିପାରିଲେ ନାହିଁ । ତେଣୁ ରଙ୍ଗଣି ସମାଜ ତତ୍କାଳୀନ ରାଜା ସାହେବ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଞ୍ଜଦେଓଙ୍‌କୁ ଅନୁରୋଧ କରନ୍ତେ ରାଜା ନିଜର ନଅର ପରିସରରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଶ୍ରୀ ନୃସିଂହଙ୍କୁ ମଧ୍ୟ ବିଜେ କରାଇଲେ । ଘଟଣାର ସତ୍ୟତା ପ୍ରକାଶ ନକରିବା ପାଇଁ ସଭିଏଁ ସତର୍କ ରହିଲେ ।
ଏହାର ୩ ଦିନ ପରେ ବୃଦ୍ଧା ବିଧବା ବ୍ରାହ୍ମଣୀ ନିଜ ଠାକୁରଙ୍କୁ ଫେରାଇ ନେବା ପାେଇଁ କାଟୁ ଗ୍ରାମରେ ପଂହଚିଲେ । କିନ୍ତୁ ଗ୍ରାମବାସୀ କିଛି ନଜାଣିବା, କିଛି ନଆଣିବାର ଅଭିନୟ କଲେ । ବୃଦ୍ଧା ବ୍ରାହ୍ମଣୀ ଯେତେ ନେହୁରା ହେଲେ ବି କେହି କର୍ଣ୍ଣପାତ କଲେ ନାହିଁ । ଫଳରେ ବୃଦ୍ଧା ବ୍ରାହ୍ମଣୀ ନିଜ ଆରାଧ୍ୟ ପ୍ରଭୂଙ୍କୁ ହରାଇ ପାଗଳୀପ୍ରାୟ କାନ୍ଦିବାକୁ ଲାଗିଲେ । କାନ୍ଦଶୁଣି ତତ୍କାଳ ଜଣେ ବ୍ରିଟିଶ ଦାରୋଗା (ପୁଲିସ) ବୁଦ୍ଧା ବ୍ରାହ୍ମଣୀଙ୍କୁ କାରଣ ପଚାରିଲେ । ରଙ୍ଗଣି ସାହି ଲୋକ ମୋ ଠାକୁରଙ୍କୁ ଆଣି ଲୁଚାଇ ରଖିଥିବା ନେଇ ବୁୃଦ୍ଧା ବ୍ରାହ୍ମଣୀ ଅଭିଯୋଗ କଲେ । ଫଳରେ ଚୋରୀ ଅପରାଧରେ ରଙ୍ଗଣି ସାହିକୁ ପକ୍ଷଭୁକ୍ତ କରାଗଲା । କଥା ନ୍ୟାୟଳୟ ପର୍ଯ୍ୟନ୍ତ ଗଲା । ଶେଷରେ ବିଜୟ ମଧ୍ର ଲୋ । କିନ୍ତୁ ବିଜୟ ମୁଳରେ ଥିବା ରୋଚକ କାରଣଟିକୁ ଏଠାରେ ପ୍ରକାଶ କରିବା ଯର୍ଥାଥ ମନେ ହୁଏ । ତାହା ନହେଲେ ଏହା ହେବ ଅବ୍ୟବସ୍ଥା ଅପଳାପ । ତତ୍କାଳୀନ କାଟୁ ଗ୍ରାମ କଳା ସଂସ୍କୃତିର ଏକ ପ୍ରାଣ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ରଙ୍ଗଣି ସମାଜର ପ୍ରତ୍ୟେକ ବ୍ୟକ୍ତି ଥିଲେ ଜଣେ ଜଶେ କୂଶଳୀ କଳାକାର । ଲକ୍ଷ୍ମି ପୁରାଣ, ରାଧାପ୍ରେମଲୀଳା, ସୁଶୀଳାମାଳତି, ବିଜୟକୁମାର ଆଦି ନାଟ୍ୟକଳା ସହିତ ଲୋକନୃତ୍ୟରେ ଦାସକାଠି, କାଠିନାଚ, ଧଙ୍ଗଡ଼ାଧାଙ୍ଗଡ଼ି ବ୍ୟତିତ ବନ୍ଧୁବିଦ୍ୟା ଅର୍ଥାତ ସର୍କସ ପ୍ରଦର୍ଶନରେ ଏହି ଗାଁର ଖ୍ୟାତି ଥିଲା ସୁଦୂର ପ୍ରସାରୀ । ତେଣୁ ବହୁ ସମୟରେ ଏହି କଳାର ପରିବେଷଣ ପାଇଁ ଶେରଗଡ଼ର ରାଜା ଡ଼କାଇ ପଠାଉଥିଲେ । ବିଶେଷକରି ରାଧାପ୍ରେମଲୀଳାର ଗାୟନ ଓ ଅଭିନୟରେ ରାଜା ସାହେବ ନିଜେ ମନ୍ତ୍ର ମୁଗ୍ଧ ହୋଇ ପଡ଼ୁଥିଲେ । ଫଳରେ ରଙ୍ଗଣି ସମାଜ ଓ ଶେରଗଡ଼ ରାଜାଙ୍କ ମଧ୍ୟରେ ଥିଲା ସାଂସ୍କୃତିକ ସମ୍ପର୍କ । ଏ ସମ୍ପର୍କରେ ଫାଇଦା ନେଲେ ରଙ୍ଗଣି ସମାଜ । ଶେଷରେ ବିଚାର ଦିନ ରଙ୍ଗଣି ମାନେ ଶେରଗଡ଼ ରାଜାଙ୍କ ଠାରୁ ମୁଲ୍ୟବାନ ପାଟବସ୍ତ୍ର ପରିଧାନ ପୂର୍ବକ ନାନା ସୁନା ଅଳଙ୍କାରରେ ମଣ୍ଡିତ ହୋଇ ନ୍ୟାୟଳୟରେ ହାଜର ହେଲେ । ବିଟ୍ରିଶ ବିଚାରପତି ଏମାନଙ୍କର ଧନାଢ୍ୟ ବେଶ ପରିପାଟି ଦେଖି ଆଶ୍ଚର୍ଯ୍ୟ ହେଲେ । ତାଙ୍କରି ମନରେ ଭାବାନ୍ତର ସୃଷ୍ଟି ହେଲା ଯେ, ଏମାନେ କଦାପି ଚୋରୀ କରିନଥିବେ । ମିଛରେ କେବଳ ଫସାଇ ଦିଆଯାଇଛି । ତାହା ପୁଣି କୌଣସି ମୁଲ୍ୟବାନ ବସ୍ତୁକୁ ନୁହେଁ, କେବଳ ମସୃଣ ଗୋଲାକାର ପଥର ଖଣ୍ଡିକୁ । ଜଣେ ଖ୍ରୀଷ୍ଟିୟ ବିଚାରପତି ଶାଳଗ୍ରାମକୁ କାହିଁକି ଶ୍ରୀ ବିଷ୍ଣୁଙ୍କ ପ୍ରତୀକ ରୂପେ ମାନ୍ୟତା ଦେବେ .. ..? ତେଣୁ ସେ ଏହାକୁ କେବଳ ମୁଲ୍ୟହୀନ ବାଲିଗରଡ଼ ବୋଲି ବିବେଚନା କଲେ । ଯାହାକି କେବେ କାହା ଦ୍ୱାରା ଚୋରୀ କଲା ଭଳି ବସ୍ତୁ ହୋଇ ପାରିବ ନାହିଁ । ଏଣୁ ଏହା ଏକ ମିଥ୍ୟା ଅଭିଯୋଗ କହି ରଙ୍ଗଣି ସମାଜକୁ ନିର୍ଦ୍ଦୋଷ ଘୋଷଣା କଲେ । ରଙ୍ଗଣି ସମାଜ ପକ୍ଷରୁ ବୃଦ୍ଧା ବ୍ରାହ୍ମଣୀଙ୍କୁ ବାକି ଜୀବନ ଚଳିବା ପାଇଁ କିଛି ଆର୍ଥୀକ ସହାୟତା କରାଗଲା । ତଥାପି ବୃଦ୍ଧା ବ୍ରାହ୍ମଣୀ ନିଜ ଠାକୁରଙ୍କୁ ହରାଇ ଅବିଶ୍ୱାସର ଭଙ୍ଗାମନ ଓ ଦୁଃଖର ଦୀର୍ଘଶ୍ୱାସଟି ଟାଣି ଫେରିଗଲା ଯେ ପେରିଗଲା । ଆଉ ଦିନକ ପାଇଁ ମଧ୍ୟ କେହି ତାଙ୍କୁ କାଟୁ ଗ୍ରାମ କିମ୍ବା ରଙ୍ଗଣି ସାହିରେ ଦେଖି ନାହାନ୍ତି । ସମୟର ଅନ୍ଧାର ଗଳିରେ ଠିକଣା ହଜିଗଲା । ସ୍ମୃତି ତାର ଲିଭିଗଲା । ତଥାପି ତାର ପ୍ରାଣର ଠାକୁର ଆଜି ବି ଶୋଡ଼ଷ ଉପଚାରରେ ଭବ୍ୟ ବନ୍ଦିରରେ ରତ୍ନ ସିାଂସନରେ ବସି ପୂଜା ପ୍ଧମକ୍ତନ୍ତି । ପ୍ରତି ଜନ୍ମ ତିଥିରେ ମହା ଆଡ଼ମ୍ବରରେ ବାଦ୍ୟ ବାଜଣାରେ ବାଣ ରୋଷଣିରେ ମହାର୍ଘ୍ୟ ପଟୁଆରରେ ଦିବ୍ୟ ବିମାନ ଚଢି ଆଲଟ ଚାମରରେ ଭକ୍ତ ଗହଣରେ ନଗର ପରିକ୍ରମା କରୁଛନ୍ତି । ଏଥି ପାଇଁ ବୃଦ୍ଧା ବ୍ରାହ୍ମଣୀର ଶ୍ରେୟ ସ୍ୱୀକାର୍ଯ୍ୟ ନୁହେଁ କି .. .. ?
କାଟୁ ରାଜ ପରିବାରର ଭୂମିକା
ସେହି ଦିନ ଠାରୁ କାଟୁ ରାଜବାଟି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ବିଜେ କରାଗଲା । ପ୍ରତିଦିନର ସେବା , ଭୋଗନୀତି ପାଇଁ ରାଜା ସାହେବ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଞ୍ଜଦେଓଙ୍କ ତରଫରୁ ସ୍ଥାୟୀ ବ୍ୟବସ୍ଥା କରାଗଲା । ଭୋଗ ନୀତିର ସୁପରିଚାଳନା ଭାର ନିଜେ ରାଣୀ ମା’ ବହନଚ କଲେ । ପୁରୁଷାନୁକ୍ରମରେ ସବୁ ବିଧି ବ୍ୟବସ୍ଥା ସୁଚରୁ ରୂପେ ପାଳିତ ହୋଇ ଆସୁଛି । ଏଯାବତ୍ କୌଣସି ବ୍ୟତିକ୍ରମ ଦେଖା ଯାଇନାହିଁ । ୧୯୪୨ ମସିହା ପରଠାରୁ ଏଯାବତ୍ ଦୁଇ ପୁରୁଷ ଅତିକ୍ରମ ହୋଇଗଲାଣି । ପ୍ରଥମ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଭଞ୍ଜଦେଓ, ଦ୍ୱିତୀୟରେ ତାଙ୍କରି ସୁଯୋଗ୍ୟ ପୁତ୍ର ସ୍ୱର୍ଗତ ଲଳିତ କିଶୋର ଭଞ୍ଜଦେଓ । ବର୍ତମାନ ତୃତୀୟ ପୁରୁଷ ଭାବେ ରାଜା ଶ୍ରୀ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓ ଠାକୁରଙ୍କ ପ୍ରଥମ ଓ ପ୍ରଧାନ ସେବକ ଭାବେ ନିଜକୁ ଉର୍ତ୍ସଗ କରିଛନ୍ତି ।
ପ୍ରତିଦିନର ସେବାନୀତି
ପ୍ରତ୍ୟେହ ଭୋର ୫ ଟାରେ ଅବକାଶ ନୀତି ପରେ ଚନ୍ଦନ ଲାଗି କରାଯାଏ । ଚନ୍ଦନ ଲାଗି ପରେ ୧୦୮ ଆଳତି ସମର୍ପଣ କରାଯାଏ । ସକାଳ ୭ଟାରେ ପ୍ରଥମ ବାଳ ଭୋଗ ରାଗ ପରିବାର ପକ୍ଷରୁ ସମର୍ପଣ କରାଯାଇଥାଏ । ପୂର୍ବାହ୍ନ ୧୧ ଟାରେ ଅନ୍ନଭୋ ଲାଗିଥାଏ । ପ୍ରତିଦିନର ଭୋଗରେ ସାଧାରଣତଃ ଦୁଇ ଅଡ଼ା ପରିମାଣରରେ ପ୍ରସ୍ତୁତ ଭାତ, ଡ଼ାଲି, ତରକାରୀ ଓ କଟା ପରଶା ଯାଇଥାଏ । ସନ୍ଧ୍ୟା ୫ଟାରେ ମନ୍ଦିର ଦ୍ୱାରା ପୁନଶ୍ଚ ଭକ୍ତ ମାନଙ୍କ ଦର୍ଶନ ଲାଗି କୋଲାଯାଏ । ସନ୍ଧ୍ୟା ୬ଟାରେ ଘଂଟ, ତୂରୀ ଓ ନଗରା ବାଦ୍ୟର ତାଳେ ତାଳେ ଆଳତୀ କାର୍ଯ୍ୟକ୍ରମ ହୋଇଥାଏ । ଆଳତୀ ଶେଷର କିଛି ସମୟ ପାଇଁ ନାମ ସଂକିର୍ତନ କିମ୍ବା ଭଜନ ଜଣାଣ ପରିବେଷଣ କରାଯାଇଥାଏ । ରାତି ୭ଟାରେ ମିଠା ଭୋ ଯଥା ପେଡ଼ା କିମ୍ବା ବଲ୍ଲଭ ୧୧ଗୋଟି ଭୋଗ ଲଗାଯାଇଥାଏ । ରାତି ୮ଟାରେ ପହୁଡ଼ କରାଇ ମନ୍ଦିର ଦ୍ୱାର ବନ୍ଦ ହୁଏ ।
ରାଜ ପରିବାରର ଇତିହାସ

କାଟୁ ରାଜା ସାହେବ ଲଲିତ କିଶୋର ଭଞ୍ଜଦେଓ,

ଇତିହାସରୁ ଜଣାଯାଏ ଯେ, ରସଲକୋଣ୍ଡାର ଭଞ୍ଜବଂଶୀୟ ରାଜା ମାନେ ଇଂରେଜୀ ସରକାରଙ୍କୁ ଦୃଢ ବିରୋଧ କରୁଥିଲେ । ଫଳରେ ଇଂରେଜୀ ମାନଙ୍କ ଦୃଷ୍ଟିରେ ଭଞ୍ଜିବଂଶୀୟ ରାଜ ପରିବାର ଥିଲା ସେମାନଭ୍‌କ ପରମ ଶତୃ । ତେଣୁ ଇଂରେଜୀ ମାନେ ଭଞ୍ଜ ରାଜ ପରିବାରକୁ ବିଭିନ୍ନ ସ୍ଥାନରେ ନଜରବନ୍ଦୀ କରି ରଖିଥିଲେ । ଏହି ରାଜ ପରିବାରକୁ ମଧ୍ୟ ରସଲକୋଣ୍ଡା ଅର୍ଥାତ ବର୍ତମାନ ଭଞ୍ଜନଗରରୁ ସ୍ଥାନାନ୍ତରିତ କରି ଅଖଣ୍ଡ ହିଞ୍ଜିଳି ଅଂଚଳରୁ କିଛି ଅଂଶ କାଟି ନଜରବନ୍ଦୀ ଭାବେ ୨ଶହ ବର୍ଷରୁ ଅଧିକ ସମୟ ରଖାଯାଇଥିବା ଜଣାଯାଏ । ତେଣୁ ଅବିଭକ୍ତ ହିଞ୍ଜିଳିରୁ କିଛି ଅଂଶ ବିଭକ୍ତ ବା କାଟ୍ ହୋଇଥିବା ଯୋଗୁଁ ପରବର୍ତି ସମୟରେ କାଟୁ ନାମରେ ଏକ କ୍ଷୁଦ୍ର ଗାଁ ରୂପେ ପରିଚିତ ହେଲା । କାଳକ୍ରମେ ହିଞ୍ଜିଳିକାଟୁ ସହରକୁ ପୌର ପରିଷଦର ମାନ୍ୟତା ମିଳିଛି । ୨ ଶହ ବର୍ଷ ଧରି ରାଜବାଟୀରେ କାଳାତିପାତ କରି ଆସିଥିବା ରାଜା ମାନେ ହେଲେ ୧) ତ୍ରି ବିକ୍ରମ ଭଞ୍ଜଦେଓ ୨) ବାସୁଦେବ ଶରଣ ଚ ୩) ଗୌରାଙ୍ଗଚରଣ ଭଞ୍ଜଦେଓ ୪) ଲକ୍ଷ୍ମୀ ନୃସିଂହ ଚ 5) ଲଲିତ କିଶୋର ଭଞ୍ଜଦେଓ
୬) ଲଲାଟେନ୍ଦୁ କିଶୋର ଭଞ୍ଜଦେଓ (ବର୍ତମାନର ରାଜା ସାହେବ), ସପ୍ତମ ପୁରୁଷ ଭାବେ ତ୍ରି ବିକ୍ରମ ଭଞ୍ଜଦେଓ ଉଜ୍ଜଳ ସମ୍ଭାବନାମୟ ଉତାରିଡଧିକାରୀ ।
ଶ୍ର୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରା ବୀବରଣୀ
କାଟୁ ଗ୍ରାମ ପାଇଁ ବର୍ଷର ବୈ।।ଖ ଶୁଳ୍କ ଚତୁର୍ଦଶୀ , ପୁର୍ଣ୍ଣୀମା ଓ ପ୍ରତିପଦା ଏହି ତିନି ଦିନ ବିଶେଷ ମହତ୍ୱ ରଖେ । ଏହାକୁ ତ୍ରିଦିବସୀୟ ଶ୍ରୀ ନୃସିଂହିଙ୍କ ଜନ୍ମତ୍ସୋବ ଭାବେ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଗ୍ରାମର ଆରାଧ୍ୟ ଦେବ ,ଶ୍ରୀ ନୃସିଂହ ଠାକୁର ହୋଇଥିବା ଯୋଗୁଁ ଘରେ ଘରେ ପାର୍ବଣର ବାତାବରଣ ଦେଖିବାକୁ ମିଳେ । ମିତ୍ର ସମ୍ବନ୍ଧ ବ୍ୟତିତ ଦର୍ଶନାଭିଳାସୀ ଜନସାଧାରଣଙ୍କ ସମାଗମରେ ଗାଁ ଦାଣ୍ଡ ଉଛୁଳି ଉଠେ । ଏହି ତିନି ଦିନ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଚଳନ୍ତି ବିଗ୍ରହକୁ ସୁଗମ୍ୟ ବିମାନରେ ବିଜେ କରାଇ ବିଧି ମୁତାବକ ଗ୍ରାମ ପରିକ୍ରମା ବା ଯାତ୍ରା କରାଯାଏ । ପ୍ରଥମ ଦିନ ଅର୍ଥାତ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଜନ୍ମ ତିଥିରେ ରାଜ ପରିବାର ପକ୍ଷରୁ ବିଶେଷ ଭୋଗ ରୂପେ ଖିରୀ, ଖେଚୁଡ଼ି, କାକରା ଆଦି ସୁମିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଥାଏ । ଉକ୍ତ ଦିବସର ସମସ୍ତ ନୀତି ଲାଗି ଆବଶ୍ୟକୀୟ ଖର୍ଚ୍ଚ ରାଜ ପରିବାର ହିଁ ବହନ କରିଥାନ୍ତି । କିନ୍ତୁ ପୁର୍ଣ୍ଣିମା ଓ ପ୍ରତିପଦା ଏହି ଦୁଇ ଦିନର ଖର୍ଚ୍ଚ କୌବର୍ତ ଓ ରଙ୍ଗଣି ସାହି ଦ୍ୱାରା ଦିନେ ଦିନେ ବହନ କରାଯାଇଥାଏ । କିନ୍ତୁ ଯେଉଁ ବର୍ଷ ପଟୁଆର ସହ ବିମାନ ପରିକ୍ରମାରେ ରଙ୍ଗଣି ସାହିର ଲୋକେ ରାଜ ପରିବାରକୁ ସହଯୋଗ କରିଥାନ୍ତି, ସେହି ବର୍ଷ ସାଧାରଣ ଦର୍ଶକ ଭାବିଥାନ୍ତି ଯେ, ଏହି ବର୍ଷ ରଙ୍ଗଣି ସମାଜର ଦୁଇ ଦିନ ଯାତ୍ରା । ଅନୁରୂପ ଭାବେ ଯେଉଁ ବର୍ଷ ପଟୁଆର ସହ ବିମାନ ପରିକ୍ରମାରେ କୈବର୍ତ ସାହିର ଲୋକେ ରାଜ ପରିବାରକୁ ସହଯୋଗ କରିଥାନ୍ତି, ସେହି ବର୍ଷ ସାଧାରଣ ଦର୍ଶକ ଭାବିଥାନ୍ତି ଯେ, ଏହି ବର୍ଷ କୈବର୍ତ ସାହିର ଦୁଇ ଦିନ ଯାତ୍ରା ।କିନ୍ତୁ ପ୍ରକୃତ ପକ୍ଷେ ରାଜ ପରିବାର, ରଙ୍ଗଣି ସମାଜ ଓ କୈବର୍ତ ସମାଜରଗୋଟିଏ ଦିନ କ୍ରମରେ ୩ ଦିନ ଯାତ୍ର ପାଳନ କରାଯାଇଥାଏ । ଅନୁରୂପ ଭାବେ ଯାତ୍ରାର ପ୍ରଥମ ଦିବସ ଅର୍ଥାି ଠାକୁରଙ୍କ ଜନ୍ମ ତିଥିରେ ପୌରାଂଚଳର ପାଟଣା ସାହିରେ ମଧ୍ୟ ଶ୍ରୀଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ପୂଜିତ କରାଯାଇ ଆସୁଥିବାରୁ ପାଟଣା ସାହିରେ ମଧ୍ୟ ପ୍ରଥମ ଦିବସ ମହା ଆଡ଼ମ୍ବର ସହକାରେ ଯାତ୍ରା ପାଳନ କରାଯାଇଥାଏ । ପ୍ରକୃତରେ ଉକ୍ତ ଯାତ୍ରା କେବଳ ଦୁଇ ସମାଜର ନୁହେଁ । ବାସ୍ତବରେ କାଟୁ ଗ୍ରାମର ମୂଳ ଅଧିବାସୀ ରୂପେ ବସତି ସ୍ଥାପନ କରିଥିବା ପ୍ରତ୍ୟେକ ଜାତି ବା କୂଳ ସମାଜର ଅଟେ । ଏଥିରେ ସମସ୍ତଙ୍କର ସମାନ ଅଧିକାର ଥାଏ । ସମସ୍ତଙ୍କର ସହଯୋଗରେ ଯାତ୍ରା ହୁଏ ସର୍ବତ୍ର ସୁନ୍ଦର ଓ ରସମୟ ।
ଯାତ୍ରା ସୁପରିଚାଳନା


ଯାତ୍ରା ସୁପରିଚାଳନାରେ ସମସ୍ତଙ୍କ ଭୂମିକା ରହିଥିଲେ ମଧ୍ୟ ଯାତ୍ରାକୁ ଶୃଙ୍ଖଳିତ ତଥା ନିର୍ଘଂଟ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମର ତଦାରଖ ପାଇଁ ଜଣକୁ ଅଧିକାର ଦିଆଯାଇଥାଏ । ଯେଉଁ ବ୍ୟକ୍ତି ଏହି ଦାୟିତ୍ୱକୁ ଗ୍ରହଣ କରିଥାନ୍ତି ତାଙ୍କୁ ଯାତ୍ରା ଅଧିକାରୀ ଭାବେ ସମ୍ମାନ ଦିଆଯାଇଥାଏ । ରଙ୍ଗଣି ସମାଜ ତରଫରୁ ପୁରୁଷାନୁକ୍ରମେ ସ୍ୱର୍ଗତ ସାରଥୀ ସାହୁ, ସ୍ୱର୍ଗତ ବାଉରିବନ୍ଧୁ ସାହୁ ଏବଂ ବର୍ତମାନର ବଂଶୀଧର ସାହୁ ରଙଘ୍‌ଗଣି ସମାଜରୁ ଯାତ୍ରା ଅଧିକାରୀ ପଦବୀରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରି ଆସୁଛନ୍ତି । କୈବର୍ତ ସାହିରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଏ । ସେଠାରେ ଯାତ୍ରା ଅଧିକାରୀ ଭାବେ ପଦବୀ ପୁରୁଷାନୁକ୍ରମେ ପିତାଙ୍କ ଠାରୁ ପୁତ୍ରକୁ ମିଳି ନଥାଏ । ଜନସାଧାରଣଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି ଏହି ପଦବୀରେ ଦାୟିତ୍ୱ ଓ କ୍ଷମତାକୁ ଉପଭୋଗ କରିଥାନ୍ତି । ପ୍ରତମ ଅଧିକାରୀ ଭାବେ ସ୍ୱର୍ଗତ ଗଣପତି ବେହେରା, ଦ୍ୱିତୀୟରେ ସ୍ୱର୍ଗତ ନାଥ ବେହେରା ଦାୟିତ୍ୱ ସମ୍ପାଦନା କରିବା ପରେ ଅଧିକାରୀ ପଦବୀକୁ ଉଛେଦ କରାଯାଇ ସଭାପତି ପଦବୀକୁ ସ୍ୱୀକୃତି ଦିଆଯାଇଥିଲା । ଫଳରେ ପ୍ରଥମ ସଭାପତି ଭାବେ ସ୍ୱର୍ଗତ ସାହେବ ବେହେରା ୧୯୬୮ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୪୪ ବର୍ଷ ଯାତ୍ରା ପରିଚାଳନାର ଗୁରୁ ଦାୟିତ୍ୱ ମୁଣ୍ଡାଇ ଜଣେ ସଫଳ ସଭାପତିର ପରିଚୟ ଛାଡ଼ି ଯାଇଛନ୍ତି । ତାଙ୍କରି ତିରୋଧାନ ପରେ ଗତ ୨୦୧୨ ମସିହା ପର ଠାରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୀମସେନ ବେହେରା ସଭାପତି ପଦ ଅଳଙ୍କୃତ କରି ଯାତ୍ରା ପରିଚାଳନାରେ ବ୍ରତୀ ଅଛନ୍ତି ।
ଯାତ୍ରାର ବିଶେଷ ଆକର୍ଷଣ


ଦୂର ଦୁରାନ୍ତରର ବହୁ ଭକ୍ତଙ୍କୁ କାଟୁ ଯାତ୍ରା ଆକର୍ଷଣ କରିବାର ମୁଳ କାରଣ ହେଲା ହୃଦୟରେ ଅଙ୍କୁରିତ ଆଲୋକିକ ବିଶ୍ୱାସ, ଭକ୍ତି ଏବଂ ଅନୁଭୂତି ଭରା ଦିବ୍ୟ ଦର୍ଶନ । ସମସ୍ତଙ୍କ ଅନୁଭବକୁ ଯଦି ଲପିବଦ୍ଧ କରି ପୁସ୍ତକର ରୂପ ଦିଆଯାଏ , ତେବେ ଏହା ହେବ ଅନ୍ୟ ଏକ ମହାଭାରତ ଗ୍ରନ୍ଥ । ଏହାର ଦ୍ୱିତୀୟ କାରଣ ହେଲା ମନବାଂଝା ପୁର୍ଣ୍ଣକାରୀ ଶ୍ରୀ ହରୀ । ତେଣୁ ସମସ୍ତ ଭକ୍ତଙ୍କ ଭିତରେ ଯାତ୍ରା ହୁଏ ଋଦ୍ଧିମନ୍ତ ୍ୱାନସିକ ଧାରୀ ବେଶଙ୍କ ଦ୍ୱାରା ଯାତ୍ରା ହୁଏ ରମଣୀୟ ।ଏହାର ତୃତୀୟ କାରଣଟି ହେଲା ମନୋରଞ୍ଜନ । ଉଭୟ ସାହି(ରଙ୍ଗଣି ଓ କୈବର୍ତ) ର ବିଭିନ୍ନ ଭ୍ରାମ୍ୟମାଣ ବେଶ ସାଙ୍ଗକୁ ସ୍ଥାୟୀ ରଥ ଯଥା -: ରାମ, ପର୍ଶୁରାମ, ବୀର ଅର୍ଜୁନ, ଇନ୍ଦ୍ରଜିତ, ଗୁରଡ଼ ବାହାନେ ବିଷ୍ଣୁ, ନଟରାଜ ଆଦି କାଠ ନିର୍ମିତ ରଥ ବେଶ ଆକର୍ଷଣୀୟ । ଏହା ଛଡ଼ା କୁଶଳୀ ଶିଳ୍ପୀର ହାତଗଢା କଳାକୁଞ୍ଜ, ଆଲୋକ ସଜ୍ଜା, ନୃତ୍ୟ ବିଚିତ୍ରା, ସଙ୍ଗୀତ ସନ୍ଧ୍ୟା, ଆତସବାଜୀ (ବାଣ) ପ୍ରଦର୍ଶନ ଜନମନକୁ କରେ ହରଣ, କମନୀୟ, ନମନୀୟ ଓ ଭକ୍ତ ସାରସ୍ୱତ ସମେତ ରସାପ୍ଲିତ । ଏମିତି ବ୍ୟୟ ବହୁଳ ବାର୍ଷିକ ଯାତ୍ରା କାଟୁ ଗ୍ରାମ ବ୍ୟତିତ ଅନ୍ୟ କେଉଁଠି ଦେଖା ଯାଏ ନାହିଁ । କେଉଁ ଠାରେ ପ୍ରତି ୨ବର୍ଷରେ ଥରେ ତ କେଉଁ ଠାରେ ପ୍ରତି ୩ ବର୍ଷ, ୫ ବର୍ଷ, ୭ ବର୍ଷ କିମ୍ବା ପ୍ରତି ୧୨ ବର୍ଷରେ ଥରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ୧୯୪୨ ମସିହା ଠାରୁ ୨୦୨୦ ଦୀର୍ଘ ୭୮ ବର୍ଷ ପୁର୍ଣ୍ଣ କରି ଯାତ୍ରା ପାଳନର ଗୌରବ ସାଙ୍ଗକୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ପତିପାବନ ଧ୍ୱଜାକୁ ଉଡ଼ାଇ ଆସିଛି । ଏହା ଦୁଇ ସାହିର ଅଟଳ ଭକ୍ତି , ବିଭୁ ବିଶ୍ୱାସ, ଏକତା ଓ ଭାତୃତ୍ୱର ପରିଚୟ ଦେଇ ଆସିଛି । ଯାହାକି ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ଆଦର୍ଶ ଅଟେ । ଚଳିତ ବର୍ଷ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ୭୮ତମ ବର୍ଷ ତ୍ରିଦିନାତ୍ମ ଯାତ୍ରା ମେ ମାସ ୬ ତାରିଖଠାରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ପରିଶେଷରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଚରଣ କମଳରେ ପ୍ରଣିପାତ ଜଣାଇ ଆପଣଭ୍‌କୁ ଥରେ ଏହି ଯାତ୍ରା ଓ ବିଭୁ ଦର୍ଶନ ପାଇଁ ସ୍ୱାଗତ ଜଣାଉଛି ।

ଉପସ୍ଥାପନା -: ଶେଷଦେବ ସାହୁ,

ହିଞ୍ଜିଳିକାଟୁ ପ୍ରତିନିଧି,

ମୋ- ୯୪୩୮୩୨୮୩୫୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ