୭୯ ଜଣ ପ୍ରବାସୀ ଓଡ଼ିଆ ସୁରତରୁ ବସ୍ ଯୋଗେ ଆସିଲେ
ଛତ୍ରପୁର (ଓ୍ବାଇଏନ୍ଏସ୍) : ସୁରତରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବା ଗ୍ରାମକୁ ବସ୍ରେ ୬ ଜଣ ଶିଶୁ, ୧୦ ମହିଳା ସମେତ ୭୯ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଲକଡାଉନ ବୃଦ୍ଧି ପାଉଥିବାବେଳେ ପେଟର ଭୋକ ଓ ଅନ୍ୟ ଅସୁବିଧା ପାଇଁ ସୁରତରୁ ପଂଜିକରଣ କରି ଶୁକ୍ରବାର ସନ୍ଧ୍ୟାରେ ନିଜ ଖର୍ଚ୍ଚରେ ପ୍ରବାସୀ ଓଡ଼ିଆମାନେ ସୁରତର ବିପଦ୍ରା ଜିଆରସି ଅଂଚଳରୁ ବସ୍ରେ ବାହାରିଥିଲେ । ପ୍ରଶାସନ ତାଙ୍କୁ ବଡ଼ମାଧପୁର ପଂଚାୟତର ଗୋବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଯାଂଚ କରି ସେମାନଙ୍କ ନାମ ପଞ୍ଜିକରଣ କରି ପଠାଯାଇଛି । ଏଥିରୁ ପ୍ରାୟ ୭୦ ଜଣ ଗୋବା ଗ୍ରାମର ହୋଇଥିବାବେଳେ ଆଉ ବଳକା ଅନ୍ୟାନ୍ୟ ବ୍ଲକର ପ୍ରବାସୀ ଓଡ଼ିଆମାନେ ରହିଥିବା ଜଣାପଡ଼ୁଛି । ଏମାନଙ୍କୁ ପ୍ରଥମେ କ୍ୱରାନଟାଇନ କେନ୍ଦ୍ରକୁ ପୁଲିସ ଏସକର୍ଟ ମାଧ୍ୟମରେ ଅଣାଯାଇଥିଲା । ତାହାପରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ମହେନ୍ଦ୍ର ବେହେରା, ରଂଜନ ରାଉଳ, ଲିଲି ଦାଶ ଏବଂ ସ୍ୱାସ୍ଥ୍ୟ ଟିମ୍ ପ୍ରମୁଖ ଜଣ ଜଣ କରି ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । କ୍ୱାରାନଟାଇନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ ପଂଚାୟତ ପକ୍ଷରୁ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ବଡ଼ମାଧପୁର ପଂଚାୟତକୁ ବସ ଯୋଗେ ସୁରତ ରୁ ୬୫ ଜଣ ଆସିଥିବାବେଳେ ରବିବାର ଭୋର ୪ଟାବେଳେ ଚିକଲଖଣ୍ଡି ପଂଚାୟତର ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର କ୍ୱାରାନଟାଇନ ସେଂଟରରେ ଛତ୍ରପୁର ବ୍ଲକ ଓ ଅନ୍ୟ ବ୍ଲକର ସମୁଦାୟ ୭୨ ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଥିବା ଜଣାପଡ଼ିଛି । ଏହି କେନ୍ଦ୍ରଗୁଡ଼ିକରେ ଏମାନେ ୧୪ ଦିନ ଧରି ରହିବେ । ଏମାନଙ୍କ ପ୍ରତ୍ୟେକ ଦିନ ହାଜିରା ନେବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କରାଯିବ ବୋଲି ସୂଚନା ମିଳିଛି ।


