୮ବର୍ଷ ବିତିଲା ପୋଲ ଓ ରାସ୍ତା ନିର୍ମାଣ ହେଲାନି

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା ମାନ କରୁଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଢ଼େଇଦ୍ୱାର ଗ୍ରାମଟି ଏହି ଯୋଜନାରୁ ବାଦ ପଡିଛି । ସତେ ଯେପରି ଏହି ଗ୍ରାମଟି ଓଡିଶା ଭିତରେ ନୁହଁ । ଗ୍ରାମରେ ୨ଶହରୁ ଉର୍ଦ୍ଧ ପରିବାରର ୧୫ଶହ ଲୋକ ବସବାସ କରୁଥିବାବେଳେ ଗାଁକୁ ଯାତୟାତ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଯେଉଁ ରାସ୍ତାଟି ଥିଲା ତାହା ଗତ ୮ବର୍ଷ ତଳେ ନଷ୍ଟ ହୋଇ ଯାଇଛି ଯେ ମୋରମ ରାସ୍ତାଟି ମାଟି ରାସ୍ତାରେ ପରିଣତ ହୋଇଯାଇଛି । ରାସ୍ତା ମଝିରେ ଥିବା ପୋଲଟି ୨୦୧୨ରେ ଭାଙ୍ଗିଯିବା ପରେ ପୋଲ ନିର୍ମାଣ ହେଉ ନଥିବାରୁ ବର୍ଷାଦିନେ ଗାଁ ଲୋକମାନେ ବାହାରକୁ ବାହାରି ପାରନ୍ତି ନାହିଁ । ଏପରିକି ରୋଗୀଟିଏକୁ ଡାକ୍ତରଖାନା ନେବାକୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପ୍ରତିବର୍ଷ ଏପରି ଅସୁବିଧା ଭୋଗୁଥିବାବେଳେ ଗତ ୨୦୧୩ ବନ୍ୟା ସମୟରେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ବିଧାୟକ ଏହି ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧାକୁ ସ୍ୱଚକ୍ଷୁରେ ଦେଖିବାପରେ ତୁରନ୍ତ ପୋଲ ନିର୍ମାଣ କରାଯାଇ ସବୁଦିନିଆ ରାସ୍ତା କରିବାକୁ ପ୍ରତିଶୃତି ଦେଇଥିଲେବି କିଛି ଫଳ ମିଳିଲା ନାହିଁଁ । ୨୦୧୭ ବନ୍ୟାରେ କେନ୍ଦୁଝର ଜିଲ୍ଲାର ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ, ତତକାଳୀନ ଆନନ୍ଦପୁର ବିଧାୟକ ଉକ୍ତ ଗ୍ରାମକୁ ଯାଇ ଭଙ୍ଗା ପୋଲଟିକୁ ଅନୁଧ୍ୟାନ କରିବା ସହ ରାସ୍ତାର ଅବସ୍ଥା ସ୍ୱଚକ୍ଷୁରେ ଦେଖିବାପରେ ପୋଲ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛିବି ଫଳ ହେଲାନି । ଡିଏମଏଫ ଫଣ୍ଡରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଏଷ୍ଟିମେଟ ଯାଇଥିଲେ ମଧ୍ୟ ତାହା ବନ୍ଦ ହୋଇଯିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନି । ବର୍ଷ ପରେ ବର୍ଷ ବିତୁଛି ସିନା ହେଲେ ଗ୍ରାମର ରାସ୍ତା ଓ ପୋଲର ଅବସ୍ଥା ସୁଧୁରୁ ନଥିବା ଗ୍ରାମର ସୁବାସ ବେହେରା, ମଦନ ସ୍ୱାଇଁ, ଅନାମ ସାହୁ, ରତ୍ନାକର ବିଶ୍ୱାଳ, ନିରାକାର ରାଉତ, ସୁରେଶ ବେହେରା, ରଘୁନାଥ ସା, ମୋହନ ସ୍ୱାଇଁ, ନିରଞ୍ଜନ ମିଶ୍ର, ସୁଧାଶୁଂ ଦୋରା, ଚନ୍ଦନ କୁମାର ସା ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଚଳିତବର୍ଷ ବନ୍ୟା ସମୟରେ ଗାଁ ଲୋକମାନେ ପାଣିରେ ପସି ୫ଦିନ ପର୍ଯ୍ୟନ୍ତ ଯିବା ଆସିବା କରିଛନ୍ତି । କାହାର କିଛି ହେଲେ ମେଡିକାଲ ନେବା ସମ୍ଭବପର ହେଉନି । ନାନା ସମସ୍ୟା ଭିତର ଦେଇ ଗ୍ରାମବାସୀମାନେ ଯାତାୟତ କରୁଥିଲେ ମଧ୍ୟ ପ୍ରଶାସନ ସତେ ଯେପରି ଆଖି ବୁଜି ଦେଇଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ