୮ରୁ ଲେଉଟିବ ଶୀତ
ଭୁବନେଶ୍ୱର : ଆସନ୍ତା ସପ୍ତାହ ମଧ୍ୟ ଓଡ଼ିଶାରେ ମେଘୁଆ ପାଗ ଲାଗି ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି । ଘୂର୍ଣ୍ଣିଝଡ଼ ହେବା ନେଇ ବି ଅନୁମାନ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ନୂଆପଡ଼ା, ନୟାଗଡ଼ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ । ୫ ତାରିଖଠାରୁ ପାଗରେ ବଡ଼ଧରଣର ପରିବର୍ତ୍ତନ ଆସିବ ଏବଂ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିବ । ୫ ଓ ୬ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ଓ ଘୂର୍ଣ୍ଣିଝଡ଼ ହୋଇପାରେ । ୭ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଏଭଳି ପରିସ୍ଥିତି ଉପୁଜିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ହେବ ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରବିବାର ଦକ୍ଷିଣ ଓଡ଼ିଶାରେ ଗୁରୁଚାପ ବଳୟ ରହିଥିବାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହୁଛି । ୭ ତାରିଖରେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ହେବ । ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶା ତଥା କଟକର ଦକ୍ଷିଣ ପାଶ୍ୱର୍ରେ ପାଗ ମେଘୁଆ ରହିବ । ୫ ଓ ୬ ତାରିଖରେ ମେଘୁଆ ପାଗ ବଢ଼ିବ । ପୁରୀ, କଟକ, ଭୁବନେଶ୍ୱର ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୭ ଓ ୮ ତାରିଖରେ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ । ଖୋର୍ଦ୍ଧା ଓ ତାହାର ଉତ୍ତରରେ ଥିବା ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ରହିବ । ସ୍ଥାନେ ସ୍ଥାନେ ମଧ୍ୟମଧରଣର ବର୍ଷା ହୋଇପାରେ । ୫ରୁ ୮ ତାରିଖ ଭିତରେ ଭୁବନେଶ୍ୱର ଓ କଟକରେ ସମୁଦାୟ ବର୍ଷା ପରିମାଣ ୪୦ ମିମିରୁ ଅଧିକ ହେବାକୁ ଥିବା ବେଳେ ଅବିଭକ୍ତ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୫୦ ମିମି ବର୍ଷା ରହିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ରହିବ । ୪ ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେବ ନାହିଁ । ତେବେ ୮ ତାରିଖରୁ ପୁଣି ଶୀତ ଲେଉଟିବାର ସମ୍ଭାବନା ରହିଛି ।


