୮୦ ଜଣଙ୍କୁ ନେଇ ଯାଉଥିଲା, ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା
ଗୌହାଟୀ: ଆସାମର ସାନିତପୁରରେ ଥିବା ଜିଆ ଭାରଲି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି । ଏହି ଦୁର୍ଘଟଣା ବେଳେ ଡଙ୍ଗାରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ କିଛି ଲୋକ କୁଳକୁ ଫେରିଥିବା ବେଳେ ଆଉ କିଛି ଲୋକ ଗଭୀର ଜଳରେ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ବେଳେ ଏଯାଏ କାହାର ବି ସୂଚନା ମିଳିନାହିଁ । ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହାଇଛି । ସୂଚନା ଅନୁଯାୟୀ, ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଲାଲ ତପୁଠାରେ ଥିବା ବିହିଆ ଗାଁରୁ ତେଜପୁରରେ ଥିବା ପାଞ୍ଚ ମିଲେ ଅଞ୍ଚଳକୁ ଯାଉଥିଲା । ତେବେ ଅଧା ରାସ୍ତାରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡଙ୍ଗାଟିରେ ୭୦ରୁ ୮୦ ଜଣ ଯାତ୍ରୀଙ୍କ ସମେତ କିଛି ବାଇକ୍ ମଧ୍ୟ ରହିଥିଲା । ଏଥିରେ ଥିବା ଯାତ୍ରୀମାନେ ସାପ୍ତାହିକ ମାର୍କେଟ ପାଇଁ ପାଞ୍ଚ ମିଲେ ଅଞ୍ଚଳକୁ ଯାଉଥିବା ଜଣାପଡ଼ିଛି । ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା କହିଛି ।